ଦୁର୍ନୀତି ମାମଲାରେ ପୂର୍ବତନ କଲେକ୍ଟରଙ୍କ ସମେତ ୩ ଦୋଷୀ, ୧ ବର୍ଷ ଜେଲ୍ ଓ ପେନସନ୍ ବନ୍ଦ
ଭୁବନେଶ୍ୱର (ସଂକେତ ଟିଭି): ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତିଙ୍କ ସମେତ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଦୋଷୀମାନଙ୍କୁ ୧ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ଭିଜିଲାନ୍ସ ବିଭାଗ ଏବେ ଏହି ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କ ପେନସନ୍ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ଯାଉଛି।
୨୦୦୧-୦୨ ମସିହାରେ ନିତ୍ୟାନନ୍ଦ ମହାନ୍ତି ଢେଙ୍କାନାଳ ଜିଲ୍ଲାପାଳ ଥିବାବେଳେ ତତ୍କାଳୀନ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି), ଡିଆରଡିଏ ସୂର୍ଯ୍ୟନାରାୟଣ ଦାସ ଓ ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତଙ୍କ ସହ ମିଶି ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଏଫସିଆଇ ଗୋଦାମରୁ ବିଭିନ୍ନ ବ୍ଲକ୍ ଓ ଗ୍ରାମପଞ୍ଚାୟତକୁ ଚାଉଳ ଓ ଗହମ ପରିବହନ ପାଇଁ ଓଡ଼ିଶା ସିଭିଲ୍ ସପ୍ଲାଏ କର୍ପୋରେସନ୍ ନିର୍ଦ୍ଧାରିତ ହାର ଅପେକ୍ଷା ଅଧିକ ଦର ଧାର୍ଯ୍ୟ କରାଯାଇଥିଲା। ଏହି ଅଧିକ ଦରକୁ ପୂର୍ବତନ ଜିଲ୍ଲାପାଳ ଅନୁମୋଦନ କରିଥିଲେ, ଯାହାଦ୍ୱାରା ସରକାରୀ ରାଜକୋଷକୁ ପ୍ରାୟ ୯ ଲକ୍ଷ ଟଙ୍କାର ଆର୍ଥିକ କ୍ଷତି ଘଟିଥିଲା।
ଏହି ଅଧିକ ଦର ପ୍ରଦାନ ଗଭୀର ତଦନ୍ତରେ ସାମ୍ନାକୁ ଆସିଥିଲା। ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। କୋର୍ଟ ସମସ୍ତ ପ୍ରମାଣ ଓ ସାକ୍ଷ୍ୟ ଯାଞ୍ଚ କରି ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରତ୍ୟେକଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
କୋର୍ଟଙ୍କ ରାୟ ପରେ ଓଡ଼ିଶା ଭିଜିଲାନ୍ସ ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି ଏବଂ ପୂର୍ବତନ ପିଡି, ଡିଆରଡିଏ ସୂର୍ଯ୍ୟନାରାୟଣ ଦାସଙ୍କ ପେନସନ୍ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ପାଖରେ ପ୍ରସ୍ତାବ ଦାଖଲ କରିବ। ଏହି ପଦକ୍ଷେପ ଦୁର୍ନୀତିରେ ସଂପୃକ୍ତ ଅବସରପ୍ରାପ୍ତ ଅଧିକାରୀମାନଙ୍କ ବିରୋଧରେ ଭିଜିଲାନ୍ସର କଠୋର ମନୋଭାବକୁ ଦର୍ଶାଉଛି।
