ଲାଞ୍ଚ ନେଉଥିବାବେଳେ ସହକାରୀ ଡ୍ରଗ୍ ନିୟନ୍ତ୍ରକ ଭିଜିଲାନ୍ସ ହାତରେ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ଜଗତସିଂହପୁର ଜିଲ୍ଲାର ସହକାରୀ ଡ୍ରଗ୍ ନିୟନ୍ତ୍ରକ (ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର) ସଞ୍ଜୟ କୁମାର ହାଂସଦାଙ୍କୁ ଭିଜିଲାନ୍ସ ଟିମ୍ ଲାଞ୍ଚ ନେଉଥିବା ଅବସ୍ଥାରେ ଗିରଫ କରିଛି। ଜଇପୁର ଛକରେ ଜଣେ ବ୍ୟବସାୟୀଙ୍କ ଠାରୁ ଔଷଧ ପାଇଁ ହୋଲସେଲ ଲାଇସେନ୍ସ କରାଇଦେବା ବାବଦରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
ଉଲ୍ଲେଖଯୋଗ୍ୟ ଯେ, ସଞ୍ଜୟ ହାଂସଦା ବର୍ତ୍ତମାନ ଯାଜପୁର ଜିଲ୍ଲାର ସହକାରୀ ଡ୍ରଗ୍ ନିୟନ୍ତ୍ରକ ଭାବରେ କାର୍ଯ୍ୟରତ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। କଟକ ଓ ଜଗତସିଂହପୁର ଭିଜିଲାନ୍ସ ଟିମ୍ ମିଳିତ ଭାବରେ ଏହି ଚଢ଼ାଉ କରିଥିଲା ଏବଂ ସଞ୍ଜୟଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବାରେ ସଫଳ ହୋଇଥିଲା।
ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହିତ ତାଙ୍କ କାର୍ଯ୍ୟାଳୟରେ ରଖାଯାଇଥିବା କାଗଜପତ୍ରଗୁଡ଼ିକର ଯାଞ୍ଚ କରିଛି। ଏହାବ୍ୟତୀତ, ଲାଞ୍ଚ ନେବା ଘଟଣାରେ ସହଯୋଗ କରିଥିବା ଅନ୍ୟ ଜଣେ କିରାଣୀଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍ ଗିରଫ କରି ତଦନ୍ତ ପରିସରକୁ ଆଣିଛି।
ସୂଚନା ଅନୁଯାୟୀ, ଏହି ବ୍ୟବସାୟୀ ପୂର୍ବରୁ ୨୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। କିନ୍ତୁ ସଞ୍ଜୟ ପୁଣି ୬ ହଜାର ଟଙ୍କା ଦାବି କରିବାରୁ ବ୍ୟବସାୟୀ ଶେଷରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଅଧିକ ତଦନ୍ତ ପରେ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ଜଣାପଡ଼ିପାରେ।
