ନବୀନଙ୍କ ପ୍ରଶଂସାରେ ଶତମୁଖ ସିନ୍ଧୁ, ପୁରୀ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା
ଭୁବନେଶ୍ୱର (ସଂକେତ ଟିଭି): ଜାପାନ ଓପନ୍-୨୦୨୬ର ମହିଳା ସିଙ୍ଗଲ୍ସ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ସୁପରଷ୍ଟାର ପି.ଭି. ସିନ୍ଧୁ। ଘରୋଇ ଖେଳାଳି ତଥା ତିନିଥର ବିଶ୍ୱ ଚାମ୍ପିଅନ୍ ଆକାନେ ୟାମାଗୁଚିଙ୍କୁ ସିଧାସଳଖ ସେଟରେ ପରାସ୍ତ କରି ସିନ୍ଧୁ ପ୍ରଥମ ଭାରତୀୟ ଭାବେ ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟର ମୁକୁଟ ହାସଲ କରିଛନ୍ତି। ଫାଇନାଲ ମ୍ୟାଚରେ ୨୧-୧୭, ୨୧-୧୭ରେ ଆକାନେଙ୍କୁ ହରାଇ ପ୍ରାୟ ୫୦ ମିନିଟ୍ ଧରି ଚାଲିଥିବା ରୋମାଞ୍ଚକର ମୁକାବିଲାରେ ସିନ୍ଧୁ ଦମଦାର ପ୍ରଦର୍ଶନ କରିଥିଲେ। ଫିଟନେସ ଓ ଫର୍ମକୁ ନେଇ ସଂଘର୍ଷ କରୁଥିବା ୩୧ ବର୍ଷୀୟା ସିନ୍ଧୁ ଦୀର୍ଘ ୧୯ ମାସ ପରେ କୌଣସି BWF ୱାର୍ଲ୍ଡ ଟୁର ଟାଇଟଲ ନିଜ ନାଁ’ରେ କରିଛନ୍ତି।
ଏହି ଐତିହାସିକ ସଫଳତା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନବୀନ ତାଙ୍କ ବାର୍ତ୍ତାରେ ସିନ୍ଧୁଙ୍କ ନିଖୁଣ ପ୍ରଦର୍ଶନର ପ୍ରଶଂସା କରିଥିଲେ। ଏହାର ଉତ୍ତରରେ ସିନ୍ଧୁ ନବୀନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସିନ୍ଧୁ କହିଛନ୍ତି, “ତାଙ୍କ ଶ୍ୱଶୁର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ଏବଂ ସବୁବେଳେ ନବୀନଙ୍କ ନେତୃତ୍ୱ ଓ ଓଡ଼ିଶାର ଶାସନ ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରିଆସିଛନ୍ତି।” ନବୀନଙ୍କ ଶୁଭେଚ୍ଛା ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଓ ପ୍ରେରଣାଦାୟକ ବୋଲି ସିନ୍ଧୁ ଉଲ୍ଲେଖ କରିଛନ୍ତି।

ଏହି ଅବସରରେ ସିନ୍ଧୁ ଓଡ଼ିଶା ସହ ନିଜର ଆତ୍ମୀୟ ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସମୟରେ ଏହି ବିଜୟ ହାସଲ କରିବା ତାଙ୍କ ପାଇଁ ଏକ ସୌଭାଗ୍ୟ ବୋଲି ସିନ୍ଧୁ ମତବ୍ୟକ୍ତ କରିଛନ୍ତି। ଖୁବ୍ ଶୀଘ୍ର ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପି.ଭି. ସିନ୍ଧୁଙ୍କ ଶଶୁର ହେଉଛନ୍ତି ଜି.ଟି. ଭେଙ୍କଟେଶ୍ୱର ରାଓ, ଯିଏ ୧୯୯୦ ବ୍ୟାଚର ଆଇଆରଏସ ଅଧିକାରୀ। ଜନପ୍ରଶାସନ, ଇ-ଗଭର୍ନାନ୍ସ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ସେ ଭାରତ ସରକାରଙ୍କ ତରଫରୁ ତିନୋଟି ଜାତୀୟ ପୁରସ୍କାର ହାସଲ କରିଛନ୍ତି। ୩୨ ବର୍ଷର ଦୀର୍ଘ ସରକାରୀ କାର୍ଯ୍ୟଜୀବନରେ ସେ ଆୟକର ବିଭାଗ, ସିଙ୍ଗାପୁରସ୍ଥିତ ଭାରତୀୟ ଉଚ୍ଚାୟୋଗ ଏବଂ ତେଲେଙ୍ଗାନା ସରକାରରେ ବିଭିନ୍ନ ଦାୟିତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ୨୦୨୨ ମସିହାରେ ପ୍ରିନ୍ସିପାଲ କମିଶନର ଅଫ୍ ଇନକମ୍ ଟ୍ୟାକ୍ସ ଭାବେ କାର୍ଯ୍ୟରତ ଥିବାବେଳେ ସେ ସ୍ୱେଚ୍ଛାକୃତ ଅବସର (VRS) ଗ୍ରହଣ କରିଥିଲେ।
ଜାପାନ ଓପନ୍ରେ ଏହି ଐତିହାସିକ ବିଜୟ ସହ ପି.ଭି. ସିନ୍ଧୁ ନିଜ କ୍ୟାରିୟରରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛନ୍ତି। ଏହା ସହ ବିଶ୍ୱ ବ୍ୟାଡମିଣ୍ଟନରେ ଭାରତର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ସେ ନିଜର ସ୍ଥାନକୁ ପୁଣିଥରେ ସୁଦୃଢ଼ କରିଛନ୍ତି।
