CulturalFeaturedLatestNews

ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି ମଣତି ସମ୍ପନ୍ନ

ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦୁର୍ଲଭ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି କାର୍ଯ୍ୟ ଆଜି ଶେଷ ହୋଇଯାଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଅଳଙ୍କାର ଓଲାଗି ପରେ ଆଜି ଏହି ଗଣତି କାର୍ଯ୍ୟ କରାଯାଇଥିଲା। ଦିନ ୧୧ଟା ୩୬ ମିନିଟରେ ଗଣତି ଆରମ୍ଭ ହୋଇ ପ୍ରାୟ ୨ ଘଣ୍ଟା ୨୭ ମିନିଟ୍ ଧରି ଚାଲିଥିଲା। ଏହି ସମୟ ମଧ୍ୟରେ ୯ଟି ଯାକ ବହୁମୂଲ୍ୟ ଅଳଙ୍କାରର ଗଣତି, ଓଜନ, ଭିଡିଓଗ୍ରାଫି ଓ ୩ଡି ମ୍ୟାପିଂ କାର୍ଯ୍ୟ ସମ୍ପନ୍ନ ହୋଇଛି।

ଖଟଶେଜ ଘରେ ଏହି ସମସ୍ତ ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ଶ୍ରୀଜିଉଙ୍କ ଅଣ୍ଟା ପଟି ବା ରୂପା ରସିକ ଶୁଆ ଥଣ୍ଟିଆ (୩ଟି), ରାହୁ ରେଖା (୩ଟି) ଓ ରତ୍ନ ଚିତା (୩ଟି) — ଏହି ୯ଟି ଅଳଙ୍କାରର ଗଣତି ଓ ମେଳକ କରାଯାଇଛି। ଏହି ସମସ୍ତ ଅଳଙ୍କାର ଚଳନ୍ତି ଭଣ୍ଡାରର ଅଂଶ ବିଶେଷ ହୋଇଥିଲେ ହେଁ ଶ୍ରୀଅଙ୍ଗରେ ଲାଗି ରହିଥିବାରୁ ପୂର୍ବରୁ ଏହାର ଗଣତି ହୋଇପାରିନଥିଲା। ସ୍ନାନ ପୂର୍ଣ୍ଣିମା ପରେ ଏହି ଅଳଙ୍କାର ଓଲାଗି ହୋଇଥିଲା ଏବଂ ନୀଳାଦ୍ରି ବିଜେ ପୂର୍ବରୁ ଆଜି ଏହାର ଗଣତି ସମ୍ପନ୍ନ ହୋଇଛି।

ତେବେ ମହାପ୍ରଭୁଙ୍କ ଝୋବା କଣ୍ଠୀର ଗଣତି ମଣତି କାର୍ଯ୍ୟ ଆଜି ହୋଇପାରିନାହିଁ। କାରଣ ଝୋବା କଣ୍ଠୀ ଏବେ ବି ଶ୍ରୀଅଙ୍ଗରେ ଲାଗି ରହିଛି। ତେଣୁ ଏହାର ଗଣତି ପରବର୍ତ୍ତୀ ସମୟରେ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଆଜିର ଗଣତି କାର୍ଯ୍ୟ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ, ଜେମୋଲୋଜିଷ୍ଟ, ଛତିଶା ନିଯୋଗ ନାୟକ, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ୍ ଏବଂ ପ୍ରାଧିକୃତ ସେବାୟତମାନେ ଉପସ୍ଥିତ ଥିଲେ। ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକୁ ଚିହ୍ନଟ କରାଯାଇଥିଲା ଏବଂ ସମସ୍ତ ଅଳଙ୍କାରର ଓଜନ ମାପ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୋଟ ୭୮ ଘଣ୍ଟା ୩ ମିନିଟ୍ ଧରି ଏହି ଗଣତି କାର୍ଯ୍ୟ ଚାଲିଛି। ଆଜିର ଗଣତି ଅପରାହ୍ନ ୧ଟା ୫୮ ମିନିଟ୍ରେ ଶେଷ ହୋଇଥିଲା।