ବଦଳି ଆଦେଶ ଅଣଦେଖା କରୁଥିବା ଅଧିକାରୀଙ୍କୁ କଡା ଚେତାବନୀ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ବଦଳି ଆଦେଶକୁ ଅମାନ୍ୟ କରୁଥିବା ଅଧିକାରୀଙ୍କ ପ୍ରତି ରାଜ୍ୟ ଅର୍ଥ ବିଭାଗ କଠୋର ମନୋଭାବ ପ୍ରକାଶ କରିଛି। ଆଦେଶ ପ୍ରାପ୍ତ ହେବାର ଅନେକ ଦିନ ପର୍ୟ୍ୟନ୍ତ ଯେଉଁ କେତେଜଣ ଅଧିକାରୀ ନୂଆ କାର୍ଯ୍ୟସ୍ଥଳରେ ଯୋଗ ଦେଇନାହାନ୍ତି, ସେମାନଙ୍କ ବିରୋଧରେ ବିଭାଗ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସତର୍କ କରାଇଛି।
ଏହାପୂର୍ବରୁ ଅର୍ଥ ବିଭାଗ ତରଫରୁ ତିନିଥର ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ତଥାପି, କେତେକ ଅଧିକାରୀ ଏହି ନିର୍ଦ୍ଦେଶକୁ ଗୁରୁତ୍ୱ ନଦେଇ ବଦଳି ପ୍ରକ୍ରିୟାକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ରିମାଇଣ୍ଡର ଓ ଚେତାବନୀ ସତ୍ତ୍ୱେ ଆଦେଶ ପାଳନ ନକରିବା ଏବଂ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ବଦଳିକୁ ରୋକିବାର ଉଦ୍ୟମକୁ ବିଭାଗ ଏଥର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି।
ଅର୍ଥ ବିଭାଗ ପକ୍ଷରୁ ଏକ ଚିଠି ଜାରି କରି ସ୍ପଷ୍ଟ କରାଯାଇଛି ଯେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯଦି କୌଣସି ଅଧିକାରୀ ନୂଆ କାର୍ଯ୍ୟାଳୟରେ ଯୋଗଦାନ ନକରନ୍ତି, ତେବେ ନିୟମାନୁଯାୟୀ ତାଙ୍କ ବେତନ ବନ୍ଦ କରାଯିବା ସହିତ ଅନ୍ୟାନ୍ୟ କଠୋର ପଦକ୍ଷେପ ଗ୍ରହଣ କରାଯାଇପାରେ। ଆଜି ସୁଦ୍ଧା ଯେଉଁ ଅଧିକାରୀମାନେ ନୂଆ ପୋଷ୍ଟରେ ଯୋଗ ଦେଇନାହାନ୍ତି, ସେମାନଙ୍କ ଦରମା ଆସନ୍ତାକାଲିଠାରୁ ବନ୍ଦ କରାଯିବ ବୋଲି ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
