ଡାକ୍ତରଙ୍କ ଉପରକୁ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କଲେ ଯୁବକ, ଅଭିଯୁକ୍ତ ଥାନାରେ ଅଟକ
ବରଗଡ଼ (ସଂକେତ ଟିଭି): ବରଗଡ଼ ସହରର ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ପାଇଁ ଆସିଥିବା ଏକ ଯୁବକ କାର୍ଯ୍ୟରତ ଡାକ୍ତରଙ୍କୁ ଷ୍ଟୁଲ୍ ଫୋପାଡ଼ି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ, ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ୱାର୍ଡ ନମ୍ବର ୧୪ର ବିକି ସିଂ ନାମକ ଯୁବକ ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସୁଦୀପ୍ତ ରୋଗୀର ଚିକିତ୍ସା ସାରିବା ପରେ, ଅଭିଯୁକ୍ତ ନିଜର ରକ୍ତଚାପ ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ। ଡାକ୍ତର ତାଙ୍କୁ ଦୌଡ଼ି ଆସିଥିବାରୁ କିଛି ସମୟ ବସି ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଏହାକୁ ନେଇ ଯୁବକ ଉତ୍ତେଜିତ ହୋଇ ପଡ଼ିଥିଲା।
ଅଭିଯୋଗ ଅନୁଯାୟୀ, ଉତ୍ତକ୍ତ ଯୁବକ ହଠାତ୍ ନିକଟରେ ଥିବା କାଠ ଷ୍ଟୁଲ୍ ଉଠାଇ ଡାକ୍ତରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଏହାଫଳରେ ଡାକ୍ତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ଆକ୍ରମଣ ପରେ, ଅଭିଯୁକ୍ତ ଡାକ୍ତରଖାନାର ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରି ସେଠାରୁ ଫେରାର ହୋଇଯାଇଥିଲା। ଡାକ୍ତରଖାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଆକ୍ରମଣର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି।
ଆକ୍ରମଣରେ ଗୁରୁତର ଡାକ୍ତର ସୁଦୀପ୍ତଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି। ଏହି ଘଟଣାକୁ ନେଇ ସିଏଚସିର ସମସ୍ତ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନେ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାତିରେ ଚଢ଼ାଉ କରି ଅଭିଯୁକ୍ତ ବିକି ସିଂଙ୍କୁ ତାଙ୍କ ବାସଭବନରୁ ଅଟକ ରଖିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ।
ଡାକ୍ତରଙ୍କ ଉପରେ ଏହି ନୃଶଂସ ଆକ୍ରମଣକୁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ଚିକିତ୍ସକ ସଂଗଠନ ତୀବ୍ର ନିନ୍ଦା କରିଛନ୍ତି। ସେମାନେ ଦୋଷୀ ବିରୋଧରେ କଠୋରରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଡାକ୍ତରଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି, ଯାହାର ତଦନ୍ତ ଚାଲିଛି।
