ରାସନ୍ ଚାଉଳ ହଡ଼ପ: ୨ ବର୍ଷରେ ୧୩୯ ଡିଲରଙ୍କ ଲାଇସେନ୍ସ ରଦ୍ଦ
ଭୁବନେଶ୍ୱର (ସଂକେତ ଟିଭି): ରାସନ୍ ଚାଉଳ ହଡ଼ପ୍ ଓ ଅନିୟମିତତା ମାମଲାକୁ ନେଇ ଆସିଛି ବଡ଼ ଖବର। ୨ ବର୍ଷରେ ୪୦ ମାମଲା ରୁଜୁ ହେବା ସହ ୧୩୯ ରାସନ୍ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩ ବର୍ଷରେ ୨୭୩ଟି ଅନିୟମିତତା ଅଭିଯୋଗ ଆସିଥିବା ବେଳେ ୩୪୭ ଡିଲରଙ୍କ ଲାଇସେନ୍ସ ରଦ୍ଦ ହୋଇଛି ଏବଂ ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ବିଧାନସଭାରେ କଳାହାଣ୍ଡି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ତଥ୍ୟ ରଖିଛନ୍ତି।
ବିଧାନସଭାର ଶୀତକାଳୀନ ଅଧିବେଶନରେ ବୁଧବାର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଗତ ଦୁଇ ବର୍ଷରେ ରାଜ୍ୟରେ ପିଡିଏସ୍ ବ୍ୟବସ୍ଥାରେ ୪୦ଟି ଅନିୟମିତତା ମାମଲା ଚିହ୍ନଟ ହୋଇଛି। ଏଥିରେ ପ୍ରାୟ ୧୫୯୪ କ୍ୱିଣ୍ଟାଲ ଖାଦ୍ୟଶସ୍ୟ ସମ୍ପୃକ୍ତ ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ସେହି ସମୟ ମଧ୍ୟରେ ୧୩୯ ଜଣ ରାସନ୍ ଡିଲରଙ୍କୁ ଦଣ୍ଡିତ କରାଯାଇଛି କିମ୍ବା ଲାଇସେନ୍ସ ବାତିଲ କରାଯାଇଛି। କଟକ ଜିଲ୍ଲାରେ ସର୍ବାଧିକ ୨୭ଟି ମାମଲା ଚିହ୍ନଟ ହୋଇଛି।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଖାଦ୍ୟଶସ୍ୟ ହଡ଼ପ, ଚୋରାଚାଲାଣ ଓ ଅନ୍ୟାନ୍ୟ ଅନିୟମିତତା ଉପରେ ନଜର ରଖିଛି ଯୋଗାଣ ବିଭାଗ। ରାସନ୍ ବ୍ୟବସ୍ଥାରେ ହେଉଥିବା ଲିକେଜ୍ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଶତ ପ୍ରତିଶତ ଆଧାର ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯାଇଛି। ଆଇରିସ୍ ସ୍କାନର ଓ ଇ-ପିଓଏସ୍ ମେସିନ୍ ମାଧ୍ୟମରେ ରାସନ୍ ବଣ୍ଟନ ହେଉଛି। ଏହାସହ ଫେୟାର ପ୍ରାଇସ୍ ସପ୍ ଏବଂ ପିଡିଏସ୍ ଯୋଗାଣ ଶୃଙ୍ଖଳାର ବିଭିନ୍ନ ସ୍ଥାନରେ ନିୟମିତ ଯାଞ୍ଚ, ଅଚାନକ ଚଢ଼ାଉ ଓ ମନିଟରିଂ କରାଯାଉଛି।
