FeaturedLatestNews

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ; ବାଲିଯାତ୍ରା ଉଦଘାଟନ କରି ଫେରିଲେ ଦିଲ୍ଲୀ

ଭୁବନେଶ୍ୱର (ସଂକେତ ଟିଭି):ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ମେୟର ସୁଲୋଚନା ଦାସ ପ୍ରମୁଖ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଗତକାଲି ସେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ।

ଆଜି ରାଜଧାନୀର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ହୋମିଓପାଥି ଉପରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଏଣେ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକର ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କ ସହିତ ଅନ୍ୟ ଅତିଥିମାନେ କଳିଙ୍ଗ ତରଙ୍ଗିଣୀରେ ସିଲଭର ସିଟି ବୋଟ କ୍ଲବରୁ କଟକ ଇନ କଟକ ପର୍ଯ୍ୟନ୍ତ ଆସିଥିଲେ। ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଡଙ୍ଗା ଭସାଇଥିଲେ। ଅତିଥିମାନେ ଜାତୀୟସ୍ତରୀୟ ପଲ୍ଲିଶ୍ରୀମେଳାକୁ ଉଦ୍ଘାଟନ କରିଥିଲେ ଏବଂ ଟେରାକୋଟା କାରିଗରଙ୍କ ସହିତ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଇଣ୍ଡୋନେସିଆ ଦୂତାବାସର ଚାର୍ଜ ଡି’ ଆଫାୟାର୍ସ ୟୁଧୋ ସାସୋଙ୍ଗକୋ, କଟକ ସାଂସଦ ଭର୍ତ୍ତୃହରି ମହତାବ, ମେୟର ସୁବାସ ସିଂହ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଞ୍ଚାସୀନ ଥିଲେ। ଏହି ଅବସରରେ ବାଲିଯାତ୍ରାର ସ୍ମରଣିକା ଉନ୍ମୋଚିତ ହୋଇଥିଲା।

Leave a Reply

Your email address will not be published. Required fields are marked *