ରାଜ୍ୟର ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ ବିଦ୍ୟୁତ ବିଲ ୧୫୨ କୋଟି ଟଙ୍କା ବାକି
ଭୁବନେଶ୍ୱର (ସଂକେତ ଟିଭି): ଗ୍ରାମ ପଞ୍ଚାୟତର କାର୍ଯ୍ୟ ଅନ୍ତର୍ଗତ ପ୍ରତ୍ୟେକ ଗାଁ ଆଲୋକୀକରଣ କରାଯିବା ସହ ପ୍ରତି ଗାଁର ପ୍ରତି ସାହିରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଏ। ତେବେ ଏହି ଷ୍ଟ୍ରିଟ୍ ଲାଇଟକୁ ନେଇ ଏକ ରୋଚକ ଖବର ଆସିଛି। ରାଜ୍ୟର ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ ବ୍ୟବହାର ବାବଦକୁ ମୋଟ ୧୫୨.୬୬ କୋଟି ଟଙ୍କା ବିଦ୍ୟୁତ ବିଲ ବକେୟା ରହିଛି। ଗୃହରେ ଏହି ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ।
ରାଜ୍ୟରେ ଥିବା ବିଭିନ୍ନ ପଞ୍ଚାୟତରେ ମୋଟ ୧୫୪୭୮ଟି ଷ୍ଟ୍ରିଟ୍ ଲାଇଟ ସଂଯୋଗରେ ସମ୍ପୂର୍ଣ୍ଣ ଭାବେ ମିଟର ସଂଯୋଗ କରାଯାଇନାହିଁ। ମିଟର ସଂଯୋଗ ହୋଇନଥିବା ଷ୍ଟ୍ରିଟ୍ ଲାଇଟରେ ଓଇଆରସିଙ୍କ ନିୟମାବଳୀ ଅନୁଯାୟୀ ପ୍ରଯୁଜ୍ୟ ଲୋଡ଼ ଫ୍ୟାକ୍ଟର ଆଧାରରେ ବିଦ୍ୟୁତ ବିଲ ଆଦାୟ କରାଯାଉଅଛି।
ତେବେ ଲୋଡ଼ ଫ୍ୟାକ୍ଟର ଆଧାରରେ ଅଧିକ ବିଲ କିମ୍ବା ବିଲିଂ ତ୍ରୁଟିର ଅଭିଯୋଗ ହସ୍ତଗତ ହେଲେ ବିତରଣ ସଂସ୍ଥା ତରଫରୁ ବିଲିଂ ତ୍ରୁଟିର ସମାଧାନ ନିମନ୍ତେ ଆବଶ୍ୟକୀୟ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଅଛି।
ଏହାସହ ମିଟର ବିହୀନ ଷ୍ଟ୍ରିଟ୍ ଲାଇଟ ଗୁଡିକରେ ମିଟର ସଂଯୋଗ କରିବା ପାଇଁ ବିତରଣ କମ୍ପାନୀମାନଙ୍କର ଏକ ପ୍ରସ୍ତାବ ବର୍ତ୍ତମାନ ଶକ୍ତି ବିଭାଗର ବିଚାରାଧୀନ ଅଛି। ଏ ଦିଗରେ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
