FeaturedHealthLatestNews

ଓଡ଼ିଶାରେ ୨ଟି ନୂଆ ହୋମିଓପାଥିକ ମେଡିକାଲ କଲେଜ ସ୍ଥାପନ ନିଷ୍ପତ୍ତି

ଭୁବନେଶ୍ୱର (ସଂକେତ ଟିଭି): ଆଜି ରାଜଧାନୀସ୍ଥିତ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ହୋମିଓପାଥି ଉପରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ହୋମିଓପାଥି ଚିକିତ୍ସା ପଦ୍ଧତି ଆମ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ଏହାକୁ ଉପଯୁକ୍ତ ସମ୍ମାନ ମିଳିନଥିଲା। ୨୦୧୪ ମସିହା ନଭେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷକୁ ଏକ ସ୍ୱତନ୍ତ୍ର ମନ୍ତ୍ରାଳୟ ଭାବେ ଉନ୍ନୀତ କରିଥିଲେ, ଯାହାଫଳରେ ଭାରତୀୟ ଚିକିତ୍ସା ବିଜ୍ଞାନ ସହିତ ହୋମିଓପାଥିକୁ ଏକ ସ୍ୱତନ୍ତ୍ର ସ୍ଥାନ ଓ ସମ୍ମାନ ମିଳିଥିଲା।

ଏଲୋପାଥିକ ଓ ଆୟୁର୍ବେଦିକ ସହିତ ହୋମିଓପାଥି ଚିକିତ୍ସା ମଧ୍ୟ ଦେଶ ଏବଂ ଓଡ଼ିଶାରେ ଖୁବ୍ ଲୋକପ୍ରିୟ ବୋଲି ସେ କହିଛନ୍ତି। ତେବେ ଶିକ୍ଷା, ଗବେଷଣା ସହିତ ଏହାର ଗୁଣାତ୍ମକ ବିକାଶ ପାଇଁ ନିରନ୍ତର ପ୍ରୟାସ ଆବଶ୍ୟକ। ବିଶେଷକରି ଗବେଷଣାର ମାନ, ଚିକିତ୍ସାର ସୁରକ୍ଷା, କ୍ଲିନିକାଲ ଅଧ୍ୟୟନ ଓ ବୈଜ୍ଞାନିକ ପ୍ରମାଣକୁ ସର୍ବାଧିକ ପ୍ରାଧାନ୍ୟ ଦେବାକୁ ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶର ଏକ ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟ ଶିକ୍ଷା ଓ ଚିକିତ୍ସା ଅନୁଷ୍ଠାନ। ହୋମିଓପାଥିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟକରୁଛନ୍ତି। ରାଜ୍ୟରେ ବର୍ତ୍ତମାନ ୪ଟି ସରକାରୀ ହୋମିଓପାଥିକ ମେଡିକାଲ କଲେଜ ରହିଛି। ସରକାର ନୂଆପଡ଼ା ଓ ନୟାଗଡ଼ରେ ୨ଟି ନୂଆ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଢେଙ୍କାନାଳ ଓ ବ୍ରହ୍ମପୁରଠାରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଖୁବ୍ ଶୀଘ୍ର ସେଠାରେ ସେବା ପ୍ରଦାନ ଆରମ୍ଭ କରାଯିବ। ବାଲେଶ୍ୱରଠାରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଜାରି ରହିଛି।

ଆୟୁଷ୍ମାନ ଭାରତ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ରାଜ୍ୟର ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଉନ୍ନତିକରଣ କରାଯାଇଛି, ଯେଉଁଠାରେ ଆୟୁର୍ବେଦିକ ସହିତ ହୋମିଓପାଥିକ ଚିକିତ୍ସା ମଧ୍ୟ କରାଯାଉଛି।

Leave a Reply

Your email address will not be published. Required fields are marked *