ସାର ସଙ୍କଟ ଦୂର ପାଇଁ ରାଜ୍ୟ ସରକାର ନେଲେ ପଦକ୍ଷେପ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ସାର ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ଡିଏପି (DAP) ଓ ୟୁରିଆର ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍ ଓ ଆମୋନିୟମ୍ ସଲଫେଟ୍କୁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନିଆଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖି ଏହି ବିକଳ୍ପ ସାରଗୁଡ଼ିକର ବ୍ୟବହାର ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭାରତ ସରକାର ବିପୁଳ ପରିମାଣରେ ଆମୋନିୟମ୍ ସଲଫେଟ୍ ଯୋଗାଇବେ ବୋଲି ସୂଚନା ରହିଛି। ଏହା କେବଳ ଡିଏପିର ବିକଳ୍ପ ନୁହେଁ, ବରଂ ଏହା ମୃତ୍ତିକାରେ ସଲଫର୍ ଅଭାବ ଦୂର କରିବାରେ ମଧ୍ୟ ସହାୟକ ହୋଇପାରିବ। ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଜିଲ୍ଲାର MARKFEDକୁ ଇଣ୍ଡେଣ୍ଟ୍ (ଚାହିଦା ପତ୍ର) ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହି ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୟୁରିଆ ଓ ଡିଏପିରେ ଥିବା ସମାନ କେମିକାଲ ସ୍ପେଶିଫିକେସନ ବା କମ୍ପୋନେଣ୍ଟ ବିକଳ୍ପ ସାରଗୁଡ଼ିକରେ ରହିଛି। ତେଣୁ ସବୁକିଛି ତର୍ଜମା (ବିଶ୍ଳେଷଣ) କରି ସେହି ବିକଳ୍ପ ସାରଗୁଡ଼ିକୁ ବ୍ୟବହାର କରିବାକୁ କୁହାଯାଇଛି। ଏଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଲ୍ୟାବ୍ରୋଟରି ଟେଷ୍ଟିଂ ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟ କିଛି ସାର ଦେଲେ ଉପଯୁକ୍ତ ଫଳ ମିଳିବ ନାହିଁ କି ଚାଷ ଠିକ୍ ହୋଇପାରିବ ନାହିଁ। ତେଣୁ ଚାଷୀଙ୍କ ଭଲ ପାଇଁ ଯାହା ଆବଶ୍ୟକ ଥିଲା, ତାହା କରାଯାଇଛି।
ସାର ଯୋଗାଣ ସ୍ଥିତି ସମ୍ପର୍କରେ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ, ଏବେ ଯାଏଁ କୃଷି ବିଭାଗ ପକ୍ଷରୁ ୧ ଲକ୍ଷ ୮୧ ହଜାର ୮୧୦ ମେଟ୍ରିକ୍ ଟନ୍ ସାର ଯୋଗାଣ ହୋଇସାରିଛି। ଏଥର ଅଧିକ ଚାଷ ହୋଇଥିବାରୁ ସାର ପାଇଁ ଲମ୍ବା ଲାଇନ୍ ଲାଗୁଛି, କିନ୍ତୁ ସାର ଅଭାବ ଏ ବର୍ଷ ହେବ ନାହିଁ। ସାର କଳାବଜାର ରୋକିବା ପାଇଁ ପାକ୍ସ (PACS)କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବରୁ କୃଷି ବିଭାଗରୁ ୩୫ ପ୍ରତିଶତ ସାର ମିଳୁଥିଲା, କିନ୍ତୁ ଏବେ ୬୦ ପ୍ରତିଶତ ସାର ଯୋଗାଣ ହେଉଛି। ଯୁଦ୍ଧ (ରୁଷ-ୟୁକ୍ରେନ୍) ପାଇଁ ଅନେକ ବିଳମ୍ବ ହୋଇଛି, ତଥାପି ସାର୍ ମହଜୁଦ ଅଛି ଏବଂ କୌଣସି ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ଆଶ୍ୱସ୍ତି ଦେଇଛନ୍ତି।
