୪ ଜିଲ୍ଲାରେ କୋଇଲା-ପାଉଁଶ ପରିବହନ ପାଇଁ ଜାରି ହେଲା କଟକଣା
ଭୁବନେଶ୍ୱର (ସଂକେତ ଟିଭି): କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି କାରଣରୁ ରାଜ୍ୟର ୪ଟି ଜିଲ୍ଲାରେ ପ୍ରଦୂଷଣ ଓ ଯାତାୟାତ ଜଟିଳତା ବୃଦ୍ଧି ପାଇଛି। ରାସ୍ତାରେ ଜାମ ସ୍ଥିତି ସୃଷ୍ଟି ହେବା ସହ ସାଧାରଣ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାଗ୍ରସ୍ତ ୪ଟି ଜିଲ୍ଲା ହେଲେ – ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର।
ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଯାତାୟାତ ସମୟ ନିର୍ଦ୍ଧାରଣ କରିଛି। ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏ ସମ୍ପର୍କରେ ଅବଗତ କରାଇଛନ୍ତି ଯେ, ଏବେ ଠାରୁ କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ିଗୁଡ଼ିକ କେବଳ ରାତି ୧୦ ଟାରୁ ସକାଳ ୬ ଟା ମଧ୍ୟରେ ଯାତାୟାତ କରିବେ। ଅନ୍ୟପକ୍ଷରେ, ସାଧାରଣ ଲୋକଙ୍କ ଯାତାୟାତ ପାଇଁ ସକାଳ ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।
ଏହି ସମୟସୀମା ମଧ୍ୟରେ ଦୁଇ ଚକିଆ, ଚାରି ଚକିଆ ଯାନ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବୋଝେଇ ଗାଡ଼ି ଗମନାଗମନ କରିପାରିବେ। ଯଦି କୌଣସି କୋଇଲା ଓ ପାଉଁଶ ବୋଝେଇ ଟ୍ରକ୍ ନିର୍ଦ୍ଧାରିତ ସମୟ ବ୍ୟତୀତ ଚଳାଚଳ କରୁଥିବା ଜଣାପଡ଼ିବ, ତେବେ ଗାଡ଼ି ମାଲିକ ଓ ସମ୍ପୃକ୍ତ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଶ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ, ଏହି ୪ଟି ଜିଲ୍ଲାରେ ଓଡ଼ିଶାର ମୋଟ ତାପଜ ବିଦ୍ୟୁତ୍ ଉତ୍ପାଦନର ୯୪% ଉତ୍ପାଦିତ ହୁଏ। OPGC ଓ JSW ପରି କମ୍ପାନୀଗୁଡ଼ିକ ଏଠାରେ ବିଦ୍ୟୁତ୍ ଉତ୍ପାଦନ କରନ୍ତି। ଏହି ଉତ୍ପାଦନରୁ ବାହାରୁଥିବା ପାଉଁଶ ପରିବହନ ପାଇଁ ପୂର୍ବରୁ SOP (ମାନକ ପଦ୍ଧତି) ଥିଲେ ହେଁ, ସମ୍ପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରି ନଥିଲା। ବୃହତ୍ ଟ୍ରକ୍ଗୁଡ଼ିକର ନିୟମିତ ଯାତାୟାତ ଯୋଗୁଁ ଅନେକ ଅସୁବିଧା ସୃଷ୍ଟି ହେଉଥିଲା। ତେଣୁ, ସାଧାରଣ ଲୋକଙ୍କ ଯାତାୟାତ ଓ ଔଦ୍ୟୋଗିକ ପରିବହନକୁ ଅଲଗା କରି ଏହି ନୂଆ ସମୟସୂଚୀ ଲାଗୁ କରାଯାଇଛି।
