FeaturedLatestNews

ବାଲେଶ୍ବରରୁ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

ସିମୁଳିଆ (ସଂକେତ ଟିଭି): କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଯୌନ ନିର୍ଯାତନା ଓ ହତ୍ୟା ମାମଲାର ଏକ ନୂଆ ଅଭିଯୋଗରେ ପଶ୍ଚିମବଙ୍ଗ ପୋଲିସ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରିଛି। ଗୁରୁବାର ଦିନ ବାଲେଶ୍ଵର ଜିଲ୍ଲାର ସିମୁଳିଆ ଅଞ୍ଚଳସ୍ଥିତ ଜାତୀୟ ରାଜପଥ ୧୬ ନିକଟରେ ଥିବା ‘ଓଡ଼ିଶୀ ହୋଟେଲ’ରୁ ତାଙ୍କୁ ଗିରଫ କରାଯାଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୋବାଇଲ ଟ୍ରାକିଂ ମାଧ୍ୟମରେ ପୂର୍ବତନ ବିଧାୟକଙ୍କ ଅବସ୍ଥିତି ଜାଣିବାକୁ ପାଇଥିଲେ। ପଶ୍ଚିମବଙ୍ଗର ବାରାକପୁର ପୋଲିସ କମିଶନରେଟର ଏକ ଟିମ୍ ସିମୁଳିଆ ପୋଲିସର ସହଯୋଗରେ ଏହି ଅପରେସନ କରିଥିଲା। ହୋଟେଲରୁ ଗିରଫ କରାଯିବା ପରେ ତାଙ୍କୁ ସିମୁଳିଆ ଥାନାକୁ ଅଣାଯାଇଥିଲା।

ପୂର୍ବତନ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ସିମୁଳିଆ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରୀ ଯାଞ୍ଚ ସରିବା ପରେ ତାଙ୍କୁ ପଶ୍ଚିମବଙ୍ଗ ଅଭିମୁଖେ ନିଆଯାଇଛି। ତାଙ୍କୁ ବାରାକପୁର ଅଦାଲତରେ ହାଜର କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଖାରଦା ଥାନାରେ ଆର.ଜି କର ମାମଲାର ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗରେ ଏକ ନୂଆ ଏଫଆଇଆର ରୁଜୁ କରାଯାଇଛି। ଏଥିରେ ନିର୍ମଳ ଘୋଷଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ପ୍ରମାଣ ନଷ୍ଟ, ଷଡ଼ଯନ୍ତ୍ର ଓ ଜଣକୁ ବାଧ୍ୟ କରିବାର ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ୨୦୨୪ ଅଗଷ୍ଟ ଘଟଣା ପରେ ପୀଡ଼ିତାଙ୍କ ଶବ ସତ୍କାର ପ୍ରକ୍ରିୟାକୁ ରାଜନୈତିକ ପ୍ରଭାବ ବ୍ୟବହାର କରି ତ୍ୱରାନ୍ୱିତ କରାଯାଇଥିଲା, ଯାହାଫଳରେ ପ୍ରମାଣ ଲୋପ ପାଇବା ସହ ଦ୍ୱିତୀୟ ଶବ ପରୀକ୍ଷା ରୋକାଯାଇପାରିବ ବୋଲି ସନ୍ଦେହ କରାଯାଉଛି।