EducationFeaturedLatestNews

୩ ସପ୍ତାହ ମଧ୍ୟରେ ସ୍କୁଲ ସୁରକ୍ଷା ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଲେ ହାଇକୋର୍ଟ

କଟକ(ସଂକେତ ଟିଭି): ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଂଗକୁ ନେଇ ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାର ପାଇଁ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ତଥା ମାନବାଧିକାର କର୍ମୀ ପ୍ରବୀର କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କୁ ଆସନ୍ତା ୩ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟରେ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପର୍ଯ୍ୟନ୍ତ କ’ଣ ପଦକ୍ଷେପ ନିଆଯାଇଛି, ତାହା ଉଲ୍ଲେଖ କରିବାକୁ କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୩ ତାରିଖ ଧାର୍ଯ୍ୟ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା ଯେ, ନିକଟ ଅତୀତରେ ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାର ସରକାରୀ ସ୍କୁଲଗୁଡ଼ିକରେ ପାଚେରି ଓ କଂକ୍ରିଟ ଫଳକ ଭୁଶୁଡ଼ି ପଡ଼ି ଏକାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସ୍କୁଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଏକ ଟାସ୍କଫୋର୍ସ ବା ବିଶେଷଜ୍ଞ କମିଟି ଗଠନ କରାଯିବା ଉଚିତ୍ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଆବେଦନକାରୀ ଆହୁରି ମଧ୍ୟ ଦାବି କରିଥିଲେ ଯେ, ଏହି ଅଘଟଣଗୁଡ଼ିକର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଅଧିକାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କ୍ଷତିଗ୍ରସ୍ତ ଅଭିଭାବକମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ।

ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ, ଚଳିତ ଅଗଷ୍ଟ ମାସରେ ସମଗ୍ର ରାଜ୍ୟର ସ୍କୁଲଗୁଡ଼ିକରେ ‘ସୁରକ୍ଷା ସପ୍ତାହ’ ପାଳନ କରାଯାଇଛି। ଏଥିସହ ଏପର୍ଯ୍ୟନ୍ତ ଘଟିଥିବା ଦୁର୍ଘଟଣାଗୁଡ଼ିକର ତଦନ୍ତ ସମାପ୍ତ ହୋଇଥିବା ବେଳେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ପଦକ୍ଷେପ ନିଆଯାଇଛି। ସରକାର ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସତ୍ୟପାଠ ଦାଖଲ କରାଯିବ ବୋଲି ମଧ୍ୟ କୋର୍ଟକୁ ଅବଗତ କରାଯାଇଥିଲା।

ତେବେ, ପାଠ ପଢ଼ିବାକୁ ଆସୁଥିବା ଛୋଟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ହାଇକୋର୍ଟ ଅତ୍ୟନ୍ତ ଗୁରୁତ୍ବର ସହିତ ବିଚାର କରିଛନ୍ତି। କୋର୍ଟ କହିଛନ୍ତି ଯେ, କେବଳ ତଦନ୍ତ ଓ କ୍ଷତିପୂରଣ ପର୍ଯ୍ୟାପ୍ତ ନୁହେଁ; ଭବିଷ୍ୟତରେ ଏଭଳି ଘଟଣା ପୁନର୍ବାର ନଘଟିବା ପାଇଁ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ କରିବା ସରକାରଙ୍କ ନୈତିକ ଦାୟିତ୍ୱ।

ଏହି ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସଚିବ, ଗଜପତି, ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। କୋର୍ଟ ଏହି ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ବକ୍ତବ୍ୟ ମଧ୍ୟ ଆହ୍ୱାନ କରିଛନ୍ତି।