ଭଦ୍ରକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ୨ ଗୁରୁତର
ଭଦ୍ରକ (ସଂକେତ ଟିଭି): ଗତକାଲି (ଗୁରୁବାର) ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଭଦ୍ରକ ଜିଲ୍ଲା ଧାମରାରୁ ବାସୁଦେବପୁର ଯାଇଥିବା ରାସ୍ତାର ବିରସ ହାଇସ୍କୁଲ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁରୀରୁ ଭଦ୍ରକ ତଦନ୍ତ ଉଦ୍ଦେଶ୍ୟରେ ଆସିଥିବା ପୋଲିସ ଭ୍ୟାନ ସହ ଲୁହା ବୋଝେଇ ଟ୍ରଲରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୨ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି।
ମୃତକ ଦୁଇ ଜଣ ହେଲେ ଭ୍ୟାନର ଡ୍ରାଇଭର ପ୍ରଶାନ୍ତ ବାଗ (୩୮) ଓ କନେଷ୍ଟେବଲ ହିମାଂଶୁ ରାୟ (୩୫)
ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପୋଲିସ ଏକ ଚୋରି ହୋଇଥିବା ମୋବାଇଲକୁ ଟ୍ରାକିଂ କରି ନାୟକାଣିଡିହି ଥାନା ଅଞ୍ଚଳକୁ ପୋଲିସ ଭ୍ୟାନରେ ଆସିଥିଲେ। ସେଥିରେ ୪ ଜଣ ପୋଲିସ ଥିଲେ। କାର୍ଯ୍ୟ ସାରି ବାସୁଦେବପୁର ଅଭିମୁଖେ ଆସୁଥିବା ବେଳେ ଧାମରା ଅଭିମୁଖେ ଯାଉଥିବା ଲୁହା ବୋଝେଇ ଟ୍ରଲର ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୋଲିସ କନେଷ୍ଟବଳ ପ୍ରଶାନ୍ତ ବାଗଙ୍କ ମୃତ୍ୟୁ ହୋଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଆମ୍ବୁଲାନ୍ସ ଯୋଗେ ୩ ଗୁରୁତର ପୋଲିସଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୩ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଆହୁରି ଅବସ୍ଥା ବିଗିଡ଼ିପାରୁ ୩ ଜଣଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କଟକ ଯିବା ରାସ୍ତାରେ ହିମାଂଶୁ ରାୟଙ୍କ ମୃତ୍ୟୁ ଘଟିଛି। ୨ ଗୁରୁତରଙ୍କୁ ବର୍ତ୍ତମାନ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି।
ସଦର ଏସଡିପିଓ ବିଚିତ୍ରା ନନ୍ଦ ସେଠୀ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଏକ ମୋବାଇଲ ଜବତ ମାମଲାର ତଦନ୍ତ କରିବାକୁ ପୋଲିସମାନେ ଭଦ୍ରକ ଆସିଥିଲେ। ଲୁହା ପ୍ଲେଟ ବୋଝେଇ ଗାଡ଼ିକୁ ନାୟକାଣିଡିହି ଥାନା ପୋଲିସ ଅଟକ ରଖିଛି । ଏନେଇ ତଦନ୍ତ ଆରମ୍ଭ କରାଯାଇଛି ।
