ସଂସଦର ମୌସୁମୀ ଅଧିବେଶନ: ଶେଷ ଦିନ ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ
ନୂଆଦିଲ୍ଲୀ(ସଂକେତ ଟିଭି): ସଂସଦର ଚଳିତ ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯାଇଛି। ଗୁରୁବାର ଦିନ ସକାଳ ୧୧ ଟାରେ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ଆସନରେ ବସିବା ପରେ ସମସ୍ତ ସଦସ୍ୟଙ୍କୁ ‘ବନ୍ଦେ ମାତରମ୍’ ଗାନର ସମ୍ମାନାର୍ଥେ ଠିଆ ହେବାକୁ କହିଥିଲେ। ଏହି ଜାତୀୟ ଗାନ ସମାପ୍ତ ହେବା ମାତ୍ରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା।
ଚଳିତ ଅଧିବେଶନର ଅଧିକାଂଶ ଦିନ ବିରୋଧୀ ଏବଂ ସରକାରଙ୍କ ମଧ୍ୟରେ ଲଗାତାର ହଟ୍ଟଗୋଳ ଓ ହୋହଲ୍ଲା ମଧ୍ୟରେ ଧୋଇ ଯାଇଥିଲା। ବିଭିନ୍ନ ବିଷୟକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା, ଯାହାଫଳରେ ଗୃହର କାର୍ଯ୍ୟ ବାରମ୍ବାର ବ୍ୟାହତ ହୋଇଥିଲା। ଶେଷ ଦିନରେ ମଧ୍ୟ ବିଧିବଦ୍ଧ କାର୍ଯ୍ୟ ସମ୍ପାଦନ କରାଯାଇ ପାରିନଥିଲା।
ଏହି ସମୟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏବଂ ଅନ୍ୟ ବିଭିନ୍ନ ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ। ଗୃହ ସ୍ଥଗିତ ଘୋଷଣା ହେବା ପରେ ସମସ୍ତେ କାର୍ଯ୍ୟସ୍ଥଳୀ ଛାଡ଼ିଥିଲେ।
ଅନ୍ୟପକ୍ଷରେ, ରାଜ୍ୟସଭାରେ ଗୃହକାର୍ଯ୍ୟ ଜାରି ରହିଛି। ରାଜ୍ୟସଭା ଆଜି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୁଡ଼ିକ ଉପରେ ଆଲୋଚନା କରୁଥିବା ବେଳେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି। ଲୋକସଭା ସ୍ଥଗିତ ରହିବା ନେଇ ବିରୋଧୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
