FeaturedLatestNews

କୃଷି, ସମବାୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ବନ୍ୟା ପୀଡ଼ିତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ

ଭୁବନେଶ୍ୱର (ସଂକେତ ଟିଭି) ରାଜ୍ୟରେ ଚଳିତ ବର୍ଷ ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହାର ଆକଳନ ଓ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। କୃଷି, ସମବାୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ବନ୍ୟା ପୀଡ଼ିତଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଏହି ବିଷୟରେ ଆଜି ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ ବିସ୍ତୃତ ଆଲୋଚନା ହେବ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଚାଷୀମାନଙ୍କୁ ସ୍ୱଳ୍ପ ମିଆଦି ଧାନ ବିହନ ଯୋଗାଇ ଦିଆଯିବ। ସେହିପରି ପନିପରିବା ଚାଷୀମାନଙ୍କୁ ମଧ୍ୟ ଅଧିକ ସହାୟତା ପ୍ରଦାନ କରାଯିବ। କୃଷି, ସମବାୟ ଓ ପଶୁସମ୍ପଦ ବିଭାଗ ତରଫରୁ ଏକ ବିଶେଷ ପ୍ୟାକେଜ ଦିଆଯିବ ଏବଂ ଏଥିପାଇଁ ଏକ ଡାଟାବେସ୍ ପ୍ରସ୍ତୁତ କରାଯାଉଛି। ଯାହାର ଯେଉଁ ପ୍ରକାର କ୍ଷତି ହୋଇଛି, ନିୟମାବଳୀ ଅନୁସାରେ ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ସହାୟତା ପାଇବାରୁ ବଞ୍ଚିତ ହୁଅନ୍ତି, ତେବେ ସେ ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ୍ କାର୍ଯ୍ୟାଳୟରେ ଯୋଗାଯୋଗ କରି ନିଜର ଅଭିଯୋଗ ଜଣାଇ ପାରିବେ। ବନ୍ୟା କ୍ଷତି ଆକଳନ ପାଇଁ କୌଣସି କେନ୍ଦ୍ରୀୟ ଟିମ୍ ଆସିବାର ଯୋଜନା ନାହିଁ, ମାତ୍ର ଆବଶ୍ୟକସ୍ଥଳେ କେନ୍ଦ୍ର ସରକାରଙ୍କୁ ଅଧିକ ସହାୟତା ମାଗିବା ନେଇ ବିଚାର କରାଯିବ।

ସୂଚନା ଅନୁସାରେ, ଗତ ୧୫ ଦିନ ମଧ୍ୟରେ ୨୪ଟି ଜିଲ୍ଲାର ୧୫୪ଟି ବ୍ଲକ୍, ୮୭୯ଟି ପଞ୍ଚାୟତ ଏବଂ ୨୮୫୫ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ୧୭ଟି ସହରାଞ୍ଚଳର ୨୦୯ଟି ୱାର୍ଡ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟରେ ମୋଟ ୧୩ ଲକ୍ଷ ୭୧ ହଜାର ୩୩୮ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୭ ଲକ୍ଷ ୨୨ ହଜାର ୭୩୨ ଜଣଙ୍କୁ ୩୬୬ଟି ଗାଁରୁ ସ୍ଥାନାନ୍ତରିତ କରାଯାଇଛି।

ଏହି ବନ୍ୟାରେ ୭୯ ହଜାର ୮୨୪ ହେକ୍ଟର ଚାଷଜମି ଏବଂ ୫୦୪୪ଟି ଘର କ୍ଷତିଗ୍ରସ୍ତ ହୋଇଛି। ସରକାର ୭୮୩ଟି ରିଲିଫ୍ କ୍ୟାମ୍ପ ଖୋଲିଥିବା ବେଳେ ଏଥିରୁ ୭ ଲକ୍ଷ ୨୬ ହଜାର ୪୪୧ ଜଣ ଲାଭାର୍ଥୀ ସହାୟତା ଗ୍ରହଣ କରିଛନ୍ତି। ୩୧ଟି ସ୍ଥାନରେ ପଶୁସମ୍ପଦକୁ ସ୍ଥାନାନ୍ତରିତ କରାଯାଇଛି। ଏପର୍ଯ୍ୟନ୍ତ ୯୦.୫ କ୍ୱିଣ୍ଟାଲ୍ ଚାଉଳ, ୩୫୬.୩ କ୍ୱିଣ୍ଟାଲ୍ ଗୁଡ଼ ଏବଂ ୮୭୦୮ ପଲିଥିନ୍ ପ୍ରଭାବିତ ଲୋକଙ୍କୁ ବଣ୍ଟନ କରାଯାଇଛି।

ଆର୍ଥିକ ସହାୟତା ସ୍ୱରୂପ, ବିଭିନ୍ନ ଜିଲ୍ଲାକୁ ପୂର୍ବରୁ ୧୧୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଆଉ ୨୬ କୋଟି ଟଙ୍କା ଅତିରିକ୍ତ ସହାୟତା ଦିଆଯାଇଛି। ଏଥିରୁ ଭଦ୍ରକ, ଯାଜପୁର, କେନ୍ଦୁଝର ଓ ବାଲେଶ୍ଵରକୁ ୫ କୋଟି ଲେଖାଏଁ, କଟକ ଓ ମୟୁରଭଞ୍ଜକୁ ୨ କୋଟି ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି। କିଛି ଜିଲ୍ଲାରୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଥିବା ବେଳେ ଆଉ କିଛି ଜିଲ୍ଲାରୁ ଆଂଶିକ ରିପୋର୍ଟ ପ୍ରାପ୍ତ ହୋଇଛି।

ମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ, ଏବର୍ଷ ଓଡ଼ିଶାରେ ଥରେ ଥରେ ବନ୍ୟା ଆସୁଛି, ଯାହା ଛୋଟ, ମଧ୍ୟମ ଓ ଗମ୍ଭୀର ପ୍ରକୃତିର। ଆଗାମୀ ଦିନରେ ମଧ୍ୟ ଲଘୁଚାପ ଜନିତ ବର୍ଷା ଓ ବନ୍ୟା ସମ୍ଭାବନା ରହିଛି। ଲୋକମାନେ ବନ୍ୟା ଆଶ୍ରୟସ୍ଥଳୀକୁ ଆସୁଛନ୍ତି ଏବଂ ବନ୍ୟା କମିଲେ ନିଜ ଘରକୁ ଫେରୁଛନ୍ତି।

Leave a Reply

Your email address will not be published. Required fields are marked *