FeaturedGeneralLatestPolitics

ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ(ସଂକେତ ଟିଭି): ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି। ଦିଲ୍ଲୀ ଜଳ ବୋର୍ଡର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ପ୍ରକଳ୍ପରେ କଥିତ ଅନିୟମିତତା ଓ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

ସତ୍ୟେନ୍ଦ୍ର ଜୈନଙ୍କ ପକ୍ଷରୁ ଆଇନଜୀବୀ ଏନ୍. ହରିହରନ୍ କୋର୍ଟରେ ଯୁକ୍ତି ରଖି କହିଥିଲେ ଯେ, ମାମଲା ରୁଜୁ ହେବାର ପ୍ରାୟ ୨୭ ମାସ ପରେ ତାଙ୍କୁ ଗିରଫ କରାଯାଇଛି। ଏହି ଦୀର୍ଘ ସମୟ ମଧ୍ୟରେ ତାଙ୍କୁ କେବଳ ଥରେ ପଚରାଉଚରା ପାଇଁ ଡକାଯାଇଥିଲା। ପରବର୍ତ୍ତୀ ସମୟରେ ପୁଣି ଥରେ ଡକାଯିବା ପରେ ତାଙ୍କୁ ଗିରଫ କରାଯାଇଥିବା ଓକିଲ ଉଲ୍ଲେଖ କରିଥିଲେ।

ଓକିଲ ଆହୁରି ଯୁକ୍ତି ଦେଇଥିଲେ ଯେ, ମାମଲା ସହ ଜଡ଼ିତ ସମସ୍ତ ସାମଗ୍ରୀ, ଦସ୍ତାବିଜ ଓ ପ୍ରମାଣ ତଦନ୍ତକାରୀ ସଂସ୍ଥା ଆଗରୁ ଜବତ କରିସାରିଛି। ତେଣୁ ତାଙ୍କୁ ହେପାଜତରେ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ପକ୍ଷର ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ।

ଅପରପକ୍ଷରେ, ଆଣ୍ଟି କରପ୍ସନ୍ ବ୍ରାଞ୍ଚ (ଏସିବି) ଜାମିନକୁ ଜୋରଦାର ବିରୋଧ କରିଥିଲା। ତଦନ୍ତକାରୀ ସଂସ୍ଥା ପକ୍ଷରୁ ସତ୍ୟେନ୍ଦ୍ର ଜୈନଙ୍କୁ ଅଭ୍ୟାସଗତ ଅପରାଧୀ ବୋଲି ଦାବି କରାଯିବା ସହ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନେବା ବେଳେ ଏହି ଦିଗକୁ ବିଚାର କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ଜଳ ବୋର୍ଡର ଏସଟିପି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାରେ କଥିତ ଅନିୟମିତତା ମାମଲାରେ ଏସିବି ଅଗଷ୍ଟ ୧୮ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତାର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ୨୦୨୪ ମେ ମାସରେ ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ଡାଇରେକ୍ଟୋରେଟ୍ର ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା।