ନବୀନ ଓ ପାଣ୍ଡିଆନଙ୍କ ବିରୋଧରେ ହେଲିକପଟର ଅପବ୍ୟବହାର ମାମଲା ଖାରଜ
ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ହେଲିକପଟର ବୁଲାରେ କୌଣସି ଅନିୟମିତତା ଘଟି ନଥିବା ଏବଂ ସରକାରୀ ଖର୍ଚ୍ଚର ଅପବ୍ୟବହାର ହୋଇ ନଥିବା ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜର୍ଜ କୋର୍ଟ ରାୟ ଦେଇଛନ୍ତି। ସରକାରୀ ହେଲିକପ୍ଟରର ଅପବ୍ୟବହାର ଅଭିଯୋଗରେ ଦାୟର ହୋଇଥିବା ଏକ ଫୌଜଦାରୀ ରିଭିଜନ୍ ପିଟିସନକୁ ଜିଲ୍ଲା ଜଜ୍ ଶ୍ରୀ ଅଶୋକ କୁମାର ସାମନ୍ତରାୟ ଖାରଜ କରିଦେଇଛନ୍ତି।
ଏହି ମାମଲାରେ ପୂର୍ବରୁ ଭୁବନେଶ୍ୱର SDJM ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ସ୍ୱଚ୍ଛତା ଉପରେ ମୋହର ମାରିଥିଲେ। ଆଜି ଜିଲ୍ଲା ଜଜ୍ ସେହି ନିମ୍ନ ଅଦାଲତର ଆଦେଶକୁ କାଏମ ରଖି କହିଛନ୍ତି ଯେ, ଦୁଇ ବର୍ଷ ଧରି ଅଭିଯୋଗକାରୀ କୌଣସି ଠୋସ୍ ପ୍ରମାଣ ଦାଖଲ କରି ପାରି ନାହାନ୍ତି। ତେଣୁ ଏହି ଅଭିଯୋଗକୁ ମିଥ୍ୟା, କପୋଳକଳ୍ପିତ ଓ ମନ୍ଦ ଉଦ୍ଦେଶ୍ୟପୂର୍ଣ୍ଣ ବୋଲି ବିଚାର କରାଯାଇଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଅଶୋକ କୁମାର ପରିଜା ଏବଂ ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଅଭିଯୋଗକାରୀ କୌଣସି ଉପଯୁକ୍ତ ପ୍ରମାଣ ଦାଖଲ କରି ନାହାନ୍ତି ଏବଂ ଅଭିଯୋଗ ଉପସ୍ଥାପନ କରିବା ପୂର୍ବରୁ ବିଏନଏସଏସ୍ (BNSS) ର ଧାରା ୧୭୩(୪) କୁ ପାଳନ କରି ନାହାନ୍ତି। ଏଥିସହ ଧାରା ୩୩ ଅନୁଯାୟୀ ଏହି ଅଭିଯୋଗର କୌଣସି ଆଇନଗତ ସ୍ଥିତି ନଥିବା କୋର୍ଟ ଉଲ୍ଲେଖ କରିଥିଲେ।
ଆଇନଗତ ଏବଂ ପ୍ରାମାଣିକ ତ୍ରୁଟି ଯୋଗୁଁ ଜିଲ୍ଲା ଜଜ୍ ତଳ କୋର୍ଟଙ୍କ ଖାରଜ ଆଦେଶକୁ ବଳବତ୍ତର ରଖିଛନ୍ତି। ପୂର୍ବରୁ କ୍ୟାପିଟାଲ ଥାନା ପୋଲିସ ଏବଂ ଡିସିପି ମଧ୍ୟ ଏହି ମାମଲାରେ କୌଣସି ସତ୍ୟତା ନଥିବାରୁ ଏଫ୍ଆଇଆର୍ ଦାୟର କରି ନଥିଲେ। ଭୁବନେଶ୍ୱର SDJM ମଧ୍ୟ ଅଭିଯୋଗକାରୀଙ୍କ ପ୍ରମାଣହୀନତାକୁ ଦୃଷ୍ଟିରେ ରଖି ପୂର୍ବରୁ ମାମଲା ଖାରଜ କରିଥିଲେ। ଶେଷରେ ଜିଲ୍ଲା ଜଜ୍ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାରେ କୌଣସି ଭିତ୍ତି ନାହିଁ ଏବଂ ଏହା ନିର୍ବାସିତ ତଥ୍ୟ ଉପରେ ଆଧାରିତ।
