ମୁରାସୁ ଭୟ: ୬ ଜିଲ୍ଲାରେ ସତର୍କତା, ୩ ଲକ୍ଷ ସ୍ଥାନାନ୍ତରଣ ଲକ୍ଷ୍ୟ
ଭୁବନେଶ୍ୱର (ସଂକେତ ଟିଭି): ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର କ୍ଷତି ନଲିଭୁଣୁ ପୁଣି ‘ମୁରାସୁ’ ଭୟ ସୃଷ୍ଟି ହୋଇଛି। ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କ ନଜର ରହିଛି। ମୁରାସୁ ମୁକାବିଲା ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ରାଜସ୍ୱ ବିଭାଗ ଲକ୍ଷ୍ୟ ରଖିଛି।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବାତ୍ୟା ଅର୍ଣ୍ଣବ ଦ୍ୱାରା ସାରା ଓଡ଼ିଶା ସମେତ ବିଶେଷ କରି ଦକ୍ଷିଣ ଓଡ଼ିଶା ପ୍ରଭାବିତ ହୋଇଛି। ଗଞ୍ଜାମ, ଗଜପତି ଓ କନ୍ଧମାଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁକୁ ନାଲି ସଂକେତ ଜାରି ହୋଇଛି। ମୁରାସୁ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି ଏବଂ ଆସନ୍ତା ୩ ତାରିଖରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିପାରେ।
ମନ୍ତ୍ରୀ କହିଛନ୍ତି ଯେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ନେଇ ପ୍ରଶାସନ ସତର୍କ ରହିଛି। ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମରେ ୩୨ଟି ଓଡ୍ରାଫ୍ ଓ ୩ଟି ଏନଡିଆରଏଫ୍ ଟିମ୍ ମୁତୟନ ହେବେ। ଅର୍ଣ୍ଣବ ପାଇଁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ଭୂସ୍ଖଳନ ଯୋଗୁଁ ୪ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।
ଗଞ୍ଜାମ ଜିଲ୍ଲାରେ ୧୩ଟି ଭୂସ୍ଖଳନ ସ୍ଥଳରୁ ସଫା ହୋଇସାରିଛି ଏବଂ ଆଉ ୮ଟି ସ୍ଥାନରେ କାର୍ଯ୍ୟ ଚାଲିଛି। ଗଞ୍ଜାମର ୧୪ ବ୍ଲକର ୨୨୪ ରାସ୍ତା ମରାମତି ହୋଇଥିବାବେଳେ ୪୨ ରାସ୍ତାର କାମ ଚାଲିଛି। ଗଜପତିରେ ୧୯ ରାସ୍ତା ପ୍ରଭାବିତ ହୋଇଥିବାବେଳେ ୫ଟି ମରାମତି ସରିଛି। କନ୍ଧମାଳରେ ୩୧ ଭାଙ୍ଗିଥିବା ରାସ୍ତାରୁ ୧୫ଟି ମରାମତି ହୋଇଛି।
ଶକ୍ତି ବିଭାଗ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ୪୬ଟି ସ୍ଥାନରେ ଫିଡର କ୍ଷତିଗ୍ରସ୍ତ ହୋଇଥିବାବେଳେ ମରାମତି ଶେଷ ହୋଇଛି ଏବଂ ୬୫୮ଟି ୧୧ କେଭି ଫିଡରର ମରାମତି ସରିଛି। ଗଞ୍ଜାମରେ ୪୫୭୨ଟି ଜଳ ଉତ୍ସ ଅକାମୀ ହୋଇଥିବାବେଳେ ୪୪୭୫ଟିର ମରାମତି ସରିଛି ଏବଂ ୨୬୫ଟି ପାଣି ଟ୍ୟାଙ୍କର ନିୟୋଜିତ ହୋଇଛି।
ଗଞ୍ଜାମ ପ୍ରଶାସନ ମୋଟ ୨,୯୪,୭୫୨ ଜଣଙ୍କୁ ସ୍ଥାନାନ୍ତରଣ କରିବାର ଲକ୍ଷ୍ୟ ରଖିଥିବାବେଳେ ଇତିମଧ୍ୟରେ ୧,୫୧,୪୩୪ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଜିଲ୍ଲାରେ ୧୧୦ଟି ସ୍ଥାୟୀ ଓ ୧,୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଗଞ୍ଜାମର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ନଭେମ୍ବର ୩ ପର୍ଯ୍ଯନ୍ତ ବନ୍ଦ ରହିବ।
କନ୍ଧମାଳରେ ୩୫ଟି ପକ୍କା ଆଶ୍ରୟସ୍ଥଳୀକୁ ୨,୩୯୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। କୋରାପୁଟରେ ୫୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୫୦୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଗଜପତିରେ ୫୧୨ଟି ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ ଆସୁଛି ଏବଂ ୪ ତାରିଖରେ ଫେରିବ।
