CrimeFeaturedLatestNews

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: କୋର୍ଟରେ ଆତ୍ମସମର୍ପଣ କରି ଜେଲ୍ ଗଲେ ବିଦ୍ୟାଭାରତୀ

ଭୁବନେଶ୍ୱର (ସଂକେତ ଟିଭି): ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ବଡ଼ ଧରଣର ମୋଡ଼ ଆସିଛି। ମାମଲାର ମୁଖ୍ୟ ଅଭିଯୁକ୍ତା ତଥା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ସେ ଆଜି ସକାଳେ କୋର୍ଟରେ ହାଜର ହୋଇଥିଲେ। କୋର୍ଟ ତାଙ୍କ ଜାମିନ ଆବେଦନକୁ ନାକଜ କରିବା ସହ ତାଙ୍କୁ ବିଚାରବିଭାଗୀୟ ହାଜତ ଅର୍ଥାତ୍ ପାରଳାଖେମୁଣ୍ଡି ସବ୍ ଜେଲ୍ ପଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଅତି ସନ୍ଦେହଜନକ ଅବସ୍ଥାରେ ପୋଡ଼ି ଯାଇ ଗୁରୁତର ହୋଇଥିଲେ। ପରଦିନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ମୃତ ସୌମ୍ୟଙ୍କ ପରିବାର ପକ୍ଷରୁ ପାରଳାଖେମୁଣ୍ଡି ଥାନାରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ଏତଲା ଦିଆଯାଇଥିଲା।

କ୍ରାଇମବ୍ରାଞ୍ଚ ତଦନ୍ତ ପରେ କେବଳ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିବାବେଳେ ଅନ୍ୟମାନଙ୍କୁ କ୍ଲିନଚିଟ୍ ଦେଇଥିଲା। ତେବେ ମୃତ ସୌମ୍ୟଙ୍କ ପରିବାର ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରାଯାଇ ପ୍ରୋଟେଷ୍ଟ ପିଟିସନ୍ ଦାୟର କରାଯାଇଥିଲା।

ପାରଳାଖେମୁଣ୍ଡି ଝଊଔଗ କୋର୍ଟ ସାନି ତଦନ୍ତ ନିର୍ଦ୍ଦେଶ ଦେବା ସହ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଆଇପିସି ଧାରା ୩୦୨ ଏବଂ ୧୨୦-ଈ ଅନୁସାରେ ମାମଲା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ପରେ ବାରମ୍ବାର ସମନ ସତ୍ତ୍ବେ ହାଜର ନହେବାରୁ ସେମାନଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି ହୋଇଥିଲା।

ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ପର‌୍ୟ୍ୟନ୍ତ ଆଇନଗତ ଲଢ଼େଇ କରିଥିଲେ ମଧ୍ୟ ସବୁସ୍ଥାନରୁ ନିରାଶ ହୋଇଥିଲେ। ଗତ ଅକ୍ଟୋବର ୩୧ ତାରିଖରେ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଚୂଡ଼ାନ୍ତ ଭାବେ ଖାରଜ କରିଥିଲେ।

ଶେଷରେ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ଆଜି ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ଏହି ମାମଲାରେ ତତ୍କାଳୀନ ଡିଏଫଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ଆତ୍ମସମର୍ପଣ କରି ଜେଲରେ ଅଛନ୍ତି।

Leave a Reply

Your email address will not be published. Required fields are marked *