FeaturedGeneralLatestPolitics

ପଞ୍ଜାବରେ ଆପର ୩ ବିଧାୟକ ବିଜେପିରେ ସାମିଲ

ଚଣ୍ଡିଗଡ (ସଂକେତ ଟିଭି): ପଞ୍ଜାବରେ ଆମ ଆଦମୀ ପାର୍ଟି ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ ବିଧାୟକ ଦଳ ଛାଡିବା ପରେ ବିଜେପିରେ ସାମିଲ ହୋଇଛନ୍ତି।

ଆଜି ସକାଳେ ଆପ ବିଧାୟକ ତଥା ପୂର୍ବତନ ଆଇପିଏସ ଅଫିସର କନୱର ବିଜୟ ପ୍ରତାପ ସିଂହ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଜୁନ ମାସରେ ତାଙ୍କୁ ଦଳ ବିରୋଧୀ କାମ ପାଇଁ ନିଲମ୍ବନ କରାଯାଇଥିଲା। ସେ ଉତ୍ତର ଅମ୍ରିତସର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ।

ବିଜୟ ପ୍ରତାପଙ୍କ ଇସ୍ତଫାର ଦିନକ ପୂର୍ବରୁ ପଟିଆଲା ଜିଲ୍ଲା ସମନ ଆସନର ବିଧାୟକ ତେତନ ସିଂହ ଜୌରୋମଜରା ଏବଂ ସନୌର ଆସନ ବିଧାୟକ ହରମିତ ସିଂହ ପଠାନମଜରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତିନି ବିଧାୟକ ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର‌୍ୟ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପି ଜାତୀୟ ସାଧାରଣ ସଂପାଦକ ତଥା ପଞ୍ଜାବ ଦାୟିତ୍ୱରେ ଥିବା ସତୀଶ ପୁନିଆ, ବୀରେନ୍ଦ୍ର ସଚ୍ଚଦେବ ଓ ପଞ୍ଜାବ ବିଜେପି ସଭାପତି କେୱାଲ ସିଂହ ଧିଲନ ପ୍ରମୁଖ ଉପସ୍ଥିତ ଥିଲେ।

ପଞ୍ଜାବ ନିର୍ବାଚନ ପୂର୍ବରୁ ଆପ ତାର ୪୦ ପ୍ରାଥମିକ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା, ଯେଉଁ ତାଲିକାରୁ ପଠାନମଜରା ଏବଂ ଜୌରାମଜରାଙ୍କ ନାଁ ବାଦ ଦିଆଯାଇଥିଲା। ଏହି ଘଟଣା ପରେ ଆପରେ ଦଳୀୟ କନ୍ଦଳ ବିସ୍ଫୋରକ ରୂପ ନେଇଥିଲା। ଏହି ତାଲିକାରେ ଉତ୍ତର ଅମ୍ରିତସର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ।

ବିଜୟ ପ୍ରତାପ ସିଂହ ତାଙ୍କର ଇସ୍ତଫା ପତ୍ର ବାଚସ୍ପତି କୁଲତାର ସିଂହ ସାନ୍ଧୱାନଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ପଞ୍ଜାବ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଉଛି।’ ଇସ୍ତଫା ପତ୍ରରେ ସଦସ୍ୟ ପଦରୁ ଇସ୍ତଫା ୧.୧୧.୨୦୨୬ରୁ ଲାଗୁ ହେବ ବୋଲି ଉଲ୍ଲେଖ କରିଛନ୍ତି। ସିଂହ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ସଂକୀର୍ଣ୍ଣ ରାଜନୀତି ଏବଂ ଉଦଘାଟନୀ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ନିଶା କାରବାର, ଗୁଣ୍ଡାରାଜ ଏବଂ ଦୁର୍ନୀତିରୁ ପଞ୍ଜାବକୁ ମୁକ୍ତ କରିବା ଆବଶ୍ୟକ। ଆମ ପ୍ରିୟ ପଞ୍ଜାବକୁ ଏକ ବିକାଶିତ ରାଜ୍ୟ କରିବାକୁ ପଡ଼ିବ।’

ଏହି ଅବସରରେ ସତୀଶ ପୁନିଆ କହିଛନ୍ତି, ‘ଆମେ ତିନି ସି ଅର୍ଥାତ ଚିତ୍ତ (ଡ୍ରଗ୍ସ), କରପ୍ସନ ଏବଂ କ୍ରାଇମ ଉପରେ କାମ କରିବୁ। ପଞ୍ଜାବ ଜନତାଙ୍କ ସାମ୍ନାରେ ଆପର ମୁଖା ଖୋଲି ଯାଇଛି। ଲୋକମାନେ ଆପଠାରୁ ମୁହଁ ଫେରାଇଲେଣି। ଅନ୍ୟପକ୍ଷେ ବିଜେପି ପ୍ରତି ସମର୍ଥନ ବଢୁଛି। ନିଶାମୁକ୍ତ ରାଜ୍ୟ ବର୍ତ୍ତମାନ ପଞ୍ଜାବ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି। ନିଶା ପାଇଁ ଯୁବପିଢ଼ି ସଙ୍କଟରେ। ପଞ୍ଜାବଠାରୁ ହରିୟାଣା ବିଚ୍ଛିନ୍ନ ହେବା ନଭେମ୍ବର ୧ କୁ ୬୦ ବର୍ଷ ପୂରିଲା। ଆଜି ଯେତେବେଳେ ଲୋକେ ହରିୟାଣାକୁ ଦେଖୁଛନ୍ତି, ତାର ପ୍ରଗତି, ଶାନ୍ତି, ରୋଜଗାର ସୁଯୋଗ ଏବଂ ନିବେଶରେ ବିକାଶ ଆଖି ସାମ୍ନାରେ ଭାସି ଯାଉଛି। ପଞ୍ଜାବର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ବିଜେପି ବଦ୍ଧ ପରିକର।’

ସେ ଆହୁରି କହିଛନ୍ତି, ‘ନିଶା ନିବାରଣ ପାଇଁ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଥିଲେ। ସେ ଦାୟିତ୍ୱକୁ ଆସିବାର ୯୦ ଦିନ ମଧ୍ୟରେ ରାଜ୍ୟକୁ ନିଶା ମୁକ୍ତ କରିବେ ବୋଲି କହିଥିଲେ, କିନ୍ତୁ ସେ ଏଥିରେ ଫେଲ ହୋଇଥିଲେ। ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ୨୦୨୯ ଡିସେମ୍ବର ୩୧ ସୁଦ୍ଧା ଦେଶକୁ ନିଶା ମୁକ୍ତ କରିବେ। ଯଦି ଦେଶକୁ ନକ୍ସଲମୁକ୍ତ କରିପାରିଲେ ଏବଂ ଧାରା ୩୭୦ ହଟାଇ ପାରିଲେ, ତେବେ ନିଶା ନିବାରଣ ମଧ୍ୟ କରି ପାରିବେ।’

Leave a Reply

Your email address will not be published. Required fields are marked *