FeaturedLatestNews

ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ମୁରାସୁ ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବାବେଳେ ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଏହା ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳ ଓଙ୍ଗୋଲ୍‌ର ଦକ୍ଷିଣ ପାର୍ଶ୍ୱରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଆଜି ରାତି ୧୧ଟା ୩୦ରୁ ନଭେମ୍ବର ୩ ତାରିଖ ଭୋର୍‌ ୪ଟା ମଧ୍ୟରେ ବାତ୍ୟାଟି ସ୍ଥଳଭାଗ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ସ୍ଥଳଭାଗ ଅତିକ୍ରମ କରିବା ପରେ ବାତ୍ୟାଟି ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।

ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ବିଶେଷ ରହିବ ନାହିଁ। ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବିଜୁଳି ଓ ଘଡ଼ଘଡ଼ି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିବାର ଆଶଙ୍କା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୭ରୁ ୧୨ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

ଅନ୍ୟପକ୍ଷରେ, ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ବନ୍ଦରଗୁଡ଼ିକ ପାଇଁ ୩ ନମ୍ବର ସ୍ଥାନୀୟ ସତର୍କତା ସଙ୍କେତ (ଏଲସି-୩) ଜାରି କରାଯାଇଛି। ନଭେମ୍ବର ୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଯଥେଷ୍ଟ କମିଯିବ। ଏହାପରେ କୌଣସି ପାଣିପାଗ ଚେତାବନୀ ରହିବ ନାହିଁ।

ନଭେମ୍ବର ୨ ଓ ୩ ରେ ବାତ୍ୟା ମୁରସୁ ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଦେଢ ମିଟର ଉଚ୍ଚର ଜୁଆର ଆସିବା ନେଇ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏଥିଯୋଗୁଁ ଦକ୍ଷିଣ ଉପକୂଳ ଆନ୍ଧ୍ରର ନିମ୍ନ ଅଞ୍ଚଳ ଜଳମଗ୍ନ ହୋଇପାରେ। ବାପଟଲା, ଗୁଣ୍ଟୁର, କୃଷ୍ଣା ଓ ପ୍ରକାଶମ ଜିଲ୍ଲାରେ ସର୍ବାଧିକ ପ୍ରଭାବ ପଡ଼ିବା ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *