୨୨ ସେପ୍ଟେମ୍ବରରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୨୨ ସେପ୍ଟେମ୍ବର ୨୦୨୬ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ୩ ଅକ୍ଟୋବରରେ ଶେଷ ହେବ ଏବଂ ସର୍ବମୋଟ ୯ଟି ସରକାରୀ ଆନୁଷ୍ଠାନିକ ବୈଠକ ଦିବସ ରହିଛି। ବିଧାନସଭା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୨, ୨୩ ଓ ୨୪ ସେପ୍ଟେମ୍ବର ସରକାରୀ ବୈଠକ ଦିବସ ହୋଇଥିବାବେଳେ ୨୫ ତାରିଖରେ ପ୍ରାଇଭେଟ ମେମ୍ବର ବିଲ୍ ଓ ସଂଶୋଧନ ବିଲ୍ ଆସିବ। ୨୬ ଓ ୨୭ ଛୁଟି ଦିବସ ପରେ ୨୮ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ପୁଣି ସରକାରୀ ବୈଠକ ଅନୁଷ୍ଠିତ ହେବ।
ଚଳିତ ଅଧିବେଶନରେ ମୋହନ ସରକାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଏବଂ ସଂଶୋଧନ ବିଲ୍ ଉପସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଏଥିରେ ମଠ-ମନ୍ଦିରର ସୁପରିଚାଳନା ପାଇଁ ହିନ୍ଦୁ ଦେବୋତ୍ତର ଆଇନ ୧୯୫୧ରେ ସଂଶୋଧନ ଆଣିବା ଅନ୍ୟତମ। ପ୍ରଚଳିତ ଆଇନର ବହୁ ଅନାବଶ୍ୟକ ଧାରା ଓ ଉପଧାରାକୁ ଯୁଗୋପଯୋଗୀ କରାଯିବା ସହ ମଠ ଓ ମନ୍ଦିରର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରିବା ସରକାରଙ୍କ ଲକ୍ଷ୍ୟ। ସଂଶୋଧନ କାର୍ଯ୍ୟକାରୀ ହେଲେ ଧାର୍ମିକ ଅନୁଷ୍ଠାନଗୁଡ଼ିକର ଆର୍ଥିକ ଓ ପ୍ରଶାସନିକ ସୁପରିଚାଳନା ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
ସେହିପରି ଓଡ଼ିଶା ଭୂ-ସଂସ୍କାର ଆଇନ, ୧୯୬୦ରେ ସଂଶୋଧନ ଆଣିବାକୁ ମଧ୍ୟ ସରକାର ଯୋଜନା କରିଛନ୍ତି। ଏହି ପ୍ରସ୍ତାବିତ ‘ଓଡ଼ିଶା ଭୂ-ସଂସ୍କାର (ସଂଶୋଧନ) ବିଲ୍, ୨୦୨୬’ ଆସନ୍ତା ଅଧିବେଶନରେ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସଂଶୋଧନ ଫଳରେ ସହରାଞ୍ଚଳରେ କୃଷି ଜମିକୁ ଅଣକୃଷି କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଆଉ ପୃଥକ୍ ଭାବେ ରାଜସ୍ୱ ବିଭାଗର ଅନୁମତି ନେବାକୁ ପଡ଼ିବ ନାହିଁ, ଯାହା ଜମି ବ୍ୟବହାର ପରିବର୍ତ୍ତନ ପ୍ରକ୍ରିୟାକୁ ସରଳ କରିବ।
ଅପରପକ୍ଷେ, ମୌସୁମୀ ଅଧିବେଶନ ବିଜେପି ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ, କାରଣ ବିରୋଧୀଙ୍କ ହାତରେ ପୁଳାପୁଳା ପ୍ରସଙ୍ଗ ରହିଛି। ପାର୍ଲିଆମେଣ୍ଟରେ MMDR ଆକ୍ଟ ପାରିତ ହେବା ପରେ ବିଜେଡି ଓ ବିଜେପି ବିରୋଧୀ ଦଳ ଏହି ମୁଦ୍ଦାକୁ ଉଠାଇବେ। ଲଗାତାର ଭାବେ ଉଭୟ ଦଳ ବିଧାନସଭା ବାହାରେ ରାଜ୍ୟ ସରକାରଙ୍କୁ ଘେରି ଆସୁଥିବାବେଳେ ବିଧାନସଭା ଏହାକୁ ଆହୁରି ତୀବ୍ର କରିବାର ସୁଯୋଗ ଆଣିଦେଇଛି।
ଏହାଛଡ଼ା ରାଜ୍ୟରେ ଲାଗି ରହିଥିବା ବନ୍ୟା ସମସ୍ୟା, ବନ୍ୟା ନିୟନ୍ତ୍ରଣ ଓ ମୁକାବିଲାରେ ସରକାରଙ୍କ ବିଫଳତା, ରିଲିଫ ଅଭାବ, ନିଟ୍ ତାତି ପ୍ରସଙ୍ଗ, ରଥଯାତ୍ରା ଅଘଟଣ, ଆଇନ ଶୃଙ୍ଖଳା ଅବସ୍ଥା ଏବଂ ବହିରେ ତ୍ରୁଟିକୁ ନେଇ ବିରୋଧୀମାନେ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସରକାରଙ୍କୁ ଘେରିବେ। ଏସବୁ ପ୍ରସଙ୍ଗ ଅଧିବେଶନରେ ଗରମାଗରମ୍ ବହସ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।
