FeaturedGeneralLatest

ନେପାଳରେ ପ୍ରଳୟଙ୍କରୀ ବନ୍ୟା: ୧୦୫ ଭାରତୀୟ ପର୍ଯ୍ୟଟକ ନିଖୋଜ

କାଠମାଣ୍ଡୁ (ସଂକେତ ଟିଭି): ନେପାଳର ରସୁଆ ଜିଲ୍ଲାର ଭୋତେକୋଶୀ ନଦୀରେ ଭୟଙ୍କର ବନ୍ୟା ପରେ ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ଏହି ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୧ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଲା, ୧୦୫ ଜଣ ଭାରତୀୟ ପର୍ଯ୍ୟଟକ ନିଖୋଜ ରହିଛନ୍ତି, ଯେଉଁମାନଙ୍କ ମଧ୍ୟରେ ୩୧ ଜଣ ମାନସରୋବର ଯାତ୍ରା କରୁଥିବା ତୀର୍ଥଯାତ୍ରୀ ଅଛନ୍ତି। ନେପାଳ ପର୍ଯ୍ୟଟକ ବୋର୍ଡ ଏହି ସୂଚନା ଦେଇଛି।

ବୋର୍ଡ ତରଫରୁ ନିଖୋଜ ଭାରତୀୟ ତୀର୍ଥଯାତ୍ରୀଙ୍କ ଖୋଜାଖୋଜି ଜାରି ରହିଛି। ସମୁଦାୟ ୪୦୦ ପର୍ଯ୍ୟଟକ ନିଖୋଜ ଥିବା ଜଣାପଡ଼ିଛି, ଯେଉଁମାନଙ୍କ ମଧ୍ୟରେ ୨୯୧ ଜଣ ବିଦେଶୀ ପର୍ଯ୍ୟଟକ, ୩୭ ଜଣ ଏନଆରଆଇ ଏବଂ ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ଆମେରିକା, ମାଲେସିଆ, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାର ନାଗରିକ ରହିଛନ୍ତି।

ସୀମା ଶୁଳ୍କ ପରିସର ମଧ୍ୟକୁ ବନ୍ୟା ଜଳ ପଶିଯିବାରୁ ସେଠାରେ ପାର୍କିଂ କରାଯାଇଥିବା ୨୦୦ରୁ ଅଧିକ ପରିବହନ ଗାଡ଼ି ଓ ବୈଦ୍ୟୁତିକ ଯାନ ଭାସିଯାଇଛି। ଚୀନ୍ ସୀମା ସଂଲଗ୍ନ ତିବ୍ଦତ ଅଞ୍ଚଳରୁ ରସୁଆ ଜିଲ୍ଲା ଦେଇ ପ୍ରବାହିତ ଭୋତେକୋଶୀ ନଦୀରେ ସକାଳ ୯ ଟାରେ ହଠାତ୍ ବନ୍ୟା ଆସିଥିଲା, ଯାହା ଜିଲ୍ଲାର ମୁଖ୍ୟ ବଜାର ଅଞ୍ଚଳକୁ ମାଡ଼ି ଯାଇଥିଲା।

ରସୁଆର ସ୍ୟାବ୍ରୁବେସି ଓ ତିମୁରେ ଭଳି ପ୍ରମୁଖ ବଜାର ଅଞ୍ଚଳ ଓ ଜନବସତି ପ୍ରଭାବିତ ହୋଇଛି। ଭୋତେକୋଶୀ ନଦୀ ତ୍ରିଶୂଳୀ ନଦୀ ସହ ମିଶୁଥିବାରୁ ରସୁଆ, ନୁୱାକୋଟ, ଧାଡ଼ିଙ୍ଗ, ଗୋରଖା ଓ ଚିତ୍ରବନ୍ଧ ଜିଲ୍ଲାର ତଳିଆ ଅଞ୍ଚଳ ପାଇଁ ଚେତାବନୀ ଜାରି କରାଯାଇଛି। ନେପାଳ ସେନା ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏଯାଏଁ ୧୨ ଜଣଙ୍କୁ ହେଲିକପ୍ଟର ଜରିଆରେ ରକ୍ଷା କରାଯାଇଛି।

ନେପାଳ ସରକାର ୩ ଜିଲ୍ଲାକୁ ଅଧିକ ବନ୍ୟା ଆଶଙ୍କାରେ ଆଲର୍ଟ ଜାରି କରିଛନ୍ତି। ଏହି ସଙ୍କଟ ସମୟରେ ନେପାଳରେ ଥିବା ଭାରତୀୟ ଦୂତାବାସ ପ୍ରଭାବିତ ଭାରତୀୟ ନାଗରିକଙ୍କ ପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରିଛି – ୯୭୭୯୮୫୧୩୧୬୮୦୭ ଓ ୯୭୭୯୭୦୯୧୦୭୫୦୦। ଆପଣଙ୍କ ପରିବାର କିମ୍ବା ବନ୍ଧୁମାନେ ପ୍ରଭାବିତ ହୋଇଥିଲେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଦୂତାବାସ ଅନୁରୋଧ କରିଛି।