FeaturedLatestNews

ଭାରସାମ୍ୟ ହରାଇ ୨ କାରକୁ ପିଟିଲା ବସ୍ : ୪ ଆହତ, ୭୦ ଜଣ ତୀର୍ଥଯାତ୍ରୀ ଅଳ୍ପକେ ବର୍ତ୍ତିଲେ

ସୋର (ସଂକେତ ଟିଭି): ଆଜି ଭୋର ସମୟରେ ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ବଜାର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କଲିକତାରୁ ପୁରୀ ଅଭିମୁଖେ ଯାଉଥିବା ଏକ ଟୁରିଷ୍ଟ ବସ୍ ହଠାତ୍ ଭାରସାମ୍ୟ ହରାଇ ପ୍ରଥମେ ଏକ ସ୍କର୍ପିଓ ଓ ପରେ ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ବସ୍ରେ ଥିବା ୭୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ, ବସ୍ଟି ମାର୍କୋଣା ଇଲେକ୍ଟ୍ରି ଅଫିସ ନିକଟରେ ନିୟନ୍ତ୍ରଣ ହରାଇଥିଲା। ଦୁର୍ଘଟଣା ପରେ ବସ୍ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇଟି କାର୍ର ପଛ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସ୍କର୍ପିଓରେ ଥିବା ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍ର କିଛି ତୀର୍ଥଯାତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଯୋଗୁଁ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରି ଯାନବାହନ ଚଳାଚଳ ସ୍ୱାଭାବିକ କରାଇଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି।