FeaturedLatestNews

ଜେଲ କର୍ମଚାରୀଙ୍କୁ ଭୁଜାଲି ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

ସୋର(ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ସୋର ଥାନା ମାଣତ୍ରୀ ଛକ ନିକଟରେ ଦୁର୍ବୁର୍ତ୍ତମାନଙ୍କ ଭୁଜାଲି ଆକ୍ରମଣରେ ଜଣେ ଜେଲ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ସୋର ମେଡିକାଲରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ସୋର ଥାନା ବଳଦିଆପଡା ଗ୍ରାମର ସୁରେନ୍ଦ୍ର ସାମଲ (୪୮)। ସେ ସୋର ସବ ଜେଲରେ ୱାର୍ଡେନ ଭାବେ କାର୍ଯ୍ୟରତ ଅଛନ୍ତି। ଆଜି ଅପରାହ୍ନରେ ସେ ନିଜ ବାଇକରେ ଜେଲକୁ ଯାଉଥିବା ବେଳେ ମାଣତ୍ରୀ ଛକ ନିକଟରେ ତିନି ଜଣ ଦୁର୍ବୁର୍ତ୍ତ ଏକ ବାଇକରେ ଆସି ତାଙ୍କୁ ଅତର୍କିତ ଭାବେ ଭୁଜାଲିରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ସୁରେନ୍ଦ୍ରଙ୍କ ଡାହାଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ତାଙ୍କ ବାମ ହାତର ଏକ ଆଙ୍ଗୁଠି ପାଖରୁ କଟି ଯାଇଥିଲା। ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଦେଖି ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି।

ଆକ୍ରମଣର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଖବର ପାଇ ସୋର ଥାନା ଭାରପ୍ରାପ୍ତ ଥାନାଧିକାରୀ ଦେବରାଜ ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଆକ୍ରମଣକାରୀଙ୍କ ଖୋଜାଖୋଜି ଜାରି ରଖିଛି।