FeaturedLatestNews

ଥାର୍ କିଣା ଦୁର୍ନୀତିରେ ଜିରୋ ଟଲେରାନ୍ସ, କାହାକୁ ଛଡା ଯିବ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଜଙ୍ଗଲ ବିଭାଗରେ ଥାର୍ ଗାଡ଼ି କିଣା ଅନିୟମିତତା ଅଭିଯୋଗକୁ ନେଇ ରାଜ୍ୟ ସରକାର କଡ଼ା ମନୋଭାବ ଆପଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଜିରୋ ଟଲେରାନ୍ସ ନୀତିରେ ଏହି ମାମଲାର ଗମ୍ଭୀରତା ଦେଖାଇଛନ୍ତି। ଏହି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଜାରି ରହିଛି, ଯାହାକୁ ସରକାର ଅତ୍ୟନ୍ତ ଗୁରୁତ୍ୱ ସହ ନେଉଛନ୍ତି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି ଯେ ଏହି ଅଭିଯୋଗରେ ୮ଟି RCCF ଜୋନରେ ତଦନ୍ତ ଚାଲିଛି। ସେହିପରି ୫୧ଟି ଥାର୍ ଗାଡ଼ିକୁ ଅଧା ଅଧା କରି କିଣାଯାଇଥିବା ଅଭିଯୋଗ ଉପରେ ମଧ୍ୟ ତଦନ୍ତ କରାଯିବ। ତଦନ୍ତ ଶେଷରେ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ଅଧିକାରୀ ଯେତେ ବଡ଼ ହୋଇଥାନ୍ତୁ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଆହୁରି କହିଛନ୍ତି ଯେ, ଜଙ୍ଗଲ ବିଭାଗରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ସହିତ ସମସ୍ତ କାର୍ଯ୍ୟ ନିୟମ ଅନୁସାରେ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ବିଭାଗର ବିଭିନ୍ନ କାମ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ହେଉଥିବା ଏବଂ ପୂର୍ବରୁ ଆସିଥିବା ଅଭିଯୋଗଗୁଡ଼ିକୁ କିପରି ସଠିକ୍ ଓ ଷ୍ଟ୍ରିମଲାଇନ୍ କରାଯିବ, ସେନେଇ ବିଭାଗ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

ଅନ୍ୟପଟେ, ରାଜ୍ୟ ସରକାରଙ୍କ ୨୫ ମାସର କାର୍ଯ୍ୟକୁ ନେଇ ବିଜେପିର ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି ଯେ, ଗତ ୨୪ ବର୍ଷରେ ଯେତିକି ଆଖିଦୃଶିଆ କାମ ହୋଇଥିଲା, ତାହା ତୁଳନାରେ ବିଜେପି ବହୁତ ଭଲ କାମ କରିଛି। ଏହାସହ MMDR ନିୟମକୁ ନବୁଝି, ନଶୁଝି ବିରୋଧ କରିବା ଠିକ୍ ନୁହେଁ ବୋଲି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ଆଗାମୀ ବିଧାନସଭାରେ ଏନେଇ ଆଲୋଚନା ପାଇଁ ବିଜେପି ପ୍ରସ୍ତୁତ ଥିବା ମଧ୍ୟ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *