ସୋମବାର ଓଡ଼ିଶା ବନ୍ଦ ପାଳନ ନେଇ ୨୧ଟି ସଂଗଠନର ଡାକରା
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଅନଲାଇନ୍ ଚାଳକ ମିଳିତ ମଞ୍ଚ ପକ୍ଷରୁ ରାଜ୍ୟର ସମସ୍ତ ଅନଲାଇନ୍ ଟ୍ୟାକ୍ସି ସଂସ୍ଥାକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୋମବାର ଦିନ ଏହି ବନ୍ଦ ପାଳନ କରାଯିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟରେ ଓଲା, ଉବର, ରାପିଡୋ, ଓଡ଼ିଶା ଯାତ୍ରୀ ସମେତ ସମସ୍ତ ଅନଲାଇନ୍ ଟ୍ୟାକ୍ସି ସଂସ୍ଥାକୁ ବନ୍ଦ କରିବା କିମ୍ବା ଅନଲାଇନ୍ ଟ୍ୟାକ୍ସି ରେଟ୍ ଉପରେ ସରକାର ନିୟନ୍ତ୍ରଣ ଲଗାଇବା ପାଇଁ ସଂଘ ଦାବି କରିଛି। ୨୧ଟି ସଂଗଠନର ସମର୍ଥନରେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ, କଟକ, ଭୁବନେଶ୍ୱର ସମେତ ସମସ୍ତ ଜିଲ୍ଲାରେ ଏହି ବନ୍ଦ ଜୋରଦାର ହେବ ବୋଲି ଆଶଙ୍କା କରାଯାଉଛି।
ସଂଘର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ସର୍ବନିମ୍ନ ଏବଂ ସର୍ବାଧିକ ଭଡ଼ା ନିର୍ଦ୍ଧାରଣ ଅନ୍ୟତମ। ସଂଘ କହିଛି ଯେ, ସରକାର ଓ ଅନଲାଇନ୍ ଟ୍ୟାକ୍ସି କମ୍ପାନିଗୁଡ଼ିକ ମିଳିତ ଭାବେ ଏକ ନିର୍ଦ୍ଧିଷ୍ଟ ସୀମା ଭିତରେ ଭଡ଼ା ନିର୍ଦ୍ଧାରଣ କରନ୍ତୁ। ଏହି ନିର୍ଦ୍ଧାରିତ ସୀମାଠାରୁ କୌଣସି କମ୍ପାନି କମ୍ କିମ୍ବା ଅଧିକ ଟଙ୍କା ନେଇପାରିବେ ନାହିଁ। ଗ୍ରାହକଙ୍କୁ ଯଦି କୌଣସି ଅଫର୍ କିମ୍ବା ରିହାତି ଦେବାର ଅଛି, ତେବେ କମ୍ପାନି ନିଜେ ସେହି ଟଙ୍କା ଦିଅନ୍ତୁ, ଅନଲାଇନ୍ ଡ୍ରାଇଭରଙ୍କ ଠାରୁ ନୁହେଁ।
ଅବୈଧ ଭାବେ ଆକାଉଣ୍ଟ ବ୍ଲକ୍ ଏବଂ ଶୋଷଣ ବନ୍ଦ କରିବା ପାଇଁ ସଂଘ ଦାବି କରିଛି। କୌଣସି ତଦନ୍ତ କିମ୍ବା ବିନା ପ୍ରମାଣରେ ଅନଲାଇନ୍ ଡ୍ରାଇଭରଙ୍କ ଆକାଉଣ୍ଟ ବ୍ଲକ୍ ନ ହେଉ। ଆକାଉଣ୍ଟ ଖୋଲିବା ପାଇଁ କମ୍ପାନି ଜରିମାନା ଆଦାୟ କରୁଛି। ତେଣୁ ବିନା ତଦନ୍ତରେ ହୋଇଥିବା ସମସ୍ତ ବ୍ଲକ୍ ଆକାଉଣ୍ଟକୁ ତୁରନ୍ତ ଅନବ୍ଲକ୍ କରାଯାଉ ଏବଂ ସଠିକ୍ ତଦନ୍ତ ବିନା କାର୍ଯ୍ୟାନୁଷ୍ଠାନ ନେବା ବନ୍ଦ କରାଯାଉ ବୋଲି ସଂଘ କହିଛି।
ରହିବା କିମ୍ବା ଅପେକ୍ଷା ସମୟ ପାଇଁ ଉପଯୁକ୍ତ ପ୍ରାପ୍ୟ ଦାବି କରାଯାଇଛି। ଯାତ୍ରା ସମୟରେ ଗ୍ରାହକ ଯଦି ନିଜ କାମ, ଶଫି, ଫାର୍ମା କିମ୍ବା ଅନ୍ୟାନ୍ୟ କାମ ପାଇଁ ଗାଡ଼ି ଅପେକ୍ଷା କରାଉଛନ୍ତି, ତେବେ ସେହି ଅପେକ୍ଷା ସମୟ ପାଇଁ ଅନଲାଇନ୍ ଡ୍ରାଇଭରଙ୍କୁ ଉଚିତ୍ ୱେଟିଂ ଚାର୍ଜ ମିଳିବା ଉଚିତ। ସେହିପରି ଟ୍ରାଫିକ୍ ଜାମ୍ ସମୟରେ ଗାଡ଼ି ଷ୍ଟାର୍ଟ ହୋଇ ରହିବା ଏବଂ ସମୟ ନଷ୍ଟ ହେବା ପାଇଁ ଅତିରିକ୍ତ ସମୟର ପାରିଶ୍ରମିକ ଦାବି କରାଯାଇଛି।
କ୍ୟାନ୍ସଲେସନ୍ ଫି’ର ସମ୍ପୂର୍ଣ୍ଣ ପ୍ରାପ୍ୟ ପାଇଁ ସଂଘ ଜୋରଦାର ଦାବି ଉଠାଇଛି। ୨-୩ କିଲୋମିଟର ଦୂରତା ଯିବା ପରେ ଗ୍ରାହକ ରାଇଡ୍ କ୍ୟାନ୍ସଲ୍ କଲେ, କମ୍ପାନି ଗ୍ରାହକଙ୍କ ଠାରୁ କ୍ୟାନ୍ସଲେସନ୍ ଫି ଆଦାୟ କରେ। କିନ୍ତୁ ସେହି କ୍ୟାନ୍ସଲେସନ୍ ଫି’ ଅନଲାଇନ୍ ଡ୍ରାଇଭରଙ୍କୁ ଦିଆଯାଏ ନାହିଁ। ଏଥିପାଇଁ ଡ୍ରାଇଭରଙ୍କୁ କ୍ଷତି ସହିବାକୁ ପଡ଼ୁଥିବା ବେଳେ ତେଲ ଖର୍ଚ୍ଚ ମଧ୍ୟ ହୋଇଥାଏ। ତେଣୁ ଏହି କ୍ୟାନ୍ସଲେସନ୍ ଫି’ର ପୂରା ଟଙ୍କା ଅନଲାଇନ୍ ଡ୍ରାଇଭରଙ୍କୁ ମିଳିବା ଦରକାର।
ଓଡ଼ିଶାରେ ବ୍ୟବସାୟ କରୁଥିବା ପ୍ରତ୍ୟେକ ଆପ୍ ଆଗ୍ରିଗେଟର କମ୍ପାନିର ଅତିକମ୍ରେ ଗୋଟିଏ କାର୍ଯ୍ୟାଳୟ ବାଧ୍ୟତାମୂଳକ କରିବାକୁ ସଂଘ ଦାବି କରିଛି। ମଧ୍ୟସ୍ଥିମାନଙ୍କ ଜରିଆରେ ଗାଡ଼ି ଚଲାଇଥିବା ଅନଲାଇନ୍ ଡ୍ରାଇଭରଙ୍କୁ ଶୋଷଣ କରାଯାଉଛି ବୋଲି ସଂଘ ଅଭିଯୋଗ କରିଛି। କମ୍ପାନିଗୁଡ଼ିକ ଦ୍ଵାରା ଅନିୟନ୍ତ୍ରିତ ଭାବେ ନୂଆ ଗାଡ଼ି ଆଟାଚମେଣ୍ଟ କରାଯାଉଥୁବାରୁ ଚାହିଦା ଓ ଯୋଗାଣ ମଧ୍ୟରେ ସନ୍ତଳନ ବିଗିଡ଼ିଯାଇଛି। ଅତ୍ୟଧିକ ସପ୍ଲାଏ ଯୋଗୁ ପୂର୍ବରୁ ଥିବା ଡ୍ରାଇଭରମାନଙ୍କ ଆୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ତେଣୁ ନୂଆ ଗାଡ଼ି ଆଟାଚମେଣ୍ଟ ଉପରେ ତୁରନ୍ତ ରୋକ୍ ଲଗାଯାଉ ଏବଂ ପ୍ରତିବର୍ଷ ଏକ ଲିମିଟେଡ୍ ଟାର୍ଗେଟ୍ ରଖି ଗାଡ଼ି ଆଟାଚ୍ କରାଯାଉ ବୋଲି ସଂଘ ଦାବି କରିଛି।
