୧୪ ଅଗଷ୍ଟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା
ଭୁବନେଶ୍ଵର(ସଂକେତ୍ ଟିଭି): ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ପ୍ରକ୍ରିୟା ସକ୍ରିୟ ହେବାର ସଙ୍କେତ ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ଙ୍କ ଆକଳନ ଅନୁଯାୟୀ, ୧୪ ଅଗଷ୍ଟ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପୂର୍ବରୁ, ୧୨ ଅଗଷ୍ଟ ପାଖାପାଖି ଉତ୍ତର ବଙ୍ଗୋପସାଗର ଉପରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପରବର୍ତ୍ତୀ ସପ୍ତାହର ଆରମ୍ଭରେ ଲଘୁଚାପର ରୂପ ନେଇପାରେ।
ଏହି ସମ୍ଭାବ୍ୟ ଲଘୁଚାପଟି ବର୍ତ୍ତମାନର ପାଣିପାଗ ପ୍ରକ୍ରିୟାଠାରୁ ଭିନ୍ନ ବୋଲି କୁହାଯାଉଛି। ପୂର୍ବରୁ, ୭-୮ ଅଗଷ୍ଟ ବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ପାଣିପାଗ ପ୍ରଣାଳୀ ସୃଷ୍ଟି ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବାର ପୂର୍ବାନୁମାନ କରାଯାଇଥିଲା। ତେବେ, ନୂଆ ଲଘୁଚାପ ଯୋଗୁଁ ୧୩ରୁ ୧୯ ଅଗଷ୍ଟ ମଧ୍ୟରେ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ବର୍ଷାର ପ୍ରଭାବ ବଢ଼ିପାରେ।
ଏହି ସମୟରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ-ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ ଓ ମେଘାଳୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ, ସମ୍ଭାବ୍ୟ ଲଘୁଚାପର ଗତିପଥ, ତୀବ୍ରତା ଏବଂ କେଉଁ ଅଞ୍ଚଳରେ କେତେ ବର୍ଷା ହେବ, ସେନେଇ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିନାହିଁ। ସିଷ୍ଟମ୍ ଗଠନର ସମୟ ନିକଟତର ହେଲେ IMDର ପରବର୍ତ୍ତୀ ପୂର୍ବାନୁମାନରେ ଏନେଇ ଅଧିକ ସ୍ପଷ୍ଟତା ଆସିବ ବୋଲି ଆଶା କରାଯାଉଛି।
