FeaturedLatestNewsPolitics

ସୋଫିଆଙ୍କ ଦଳବଦଳ ନେଇ ଭକ୍ତଙ୍କ କଟାକ୍ଷ: କହିଲେ- ପ୍ରଥମେ କଂଗ୍ରେସରୁ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର (ସଂକେତ ଟିଭି): ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ ଜାତୀୟ କଂଗ୍ରେସ ଟିକେଟରୁ ନ ଲଢ଼ି ଓଡ଼ିଶା ଜନତା କଂଗ୍ରେସ (OJC)ରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଏହାକୁ ନେଇ ତୀବ୍ର କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ସୋଫିଆ ଯଦି ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବାକୁ ସ୍ଥିର କରିସାରିଛନ୍ତି, ତେବେ ପ୍ରଥମେ କଂଗ୍ରେସ ଦଳରୁ ଇସ୍ତଫା ଦେଇଦିଅନ୍ତୁ। ଜଣେ ଗୋଟିଏ ଦଳରେ ରହି ଅନ୍ୟ ଦଳରେ ନିର୍ବାଚନ ଲଢ଼ିବା କଥା କହିବା ନୈତିକତା ବିରୋଧୀ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି।

ସୂଚନାନୁଯାୟୀ, ପୂର୍ବତନ ବିଧାୟକ ତଥା ସୋଫିଆଙ୍କ ପିତା ମହମ୍ମଦ ମୋକିମ୍ ନିଜେ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ତାଙ୍କ ଝିଅ ସୋଫିଆ ଆସନ୍ତା ନିର୍ବାଚନରେ କଂଗ୍ରେସ ଟିକେଟରେ ନ ଲଢ଼ି ତାଙ୍କ ନେତୃତ୍ୱାଧୀନ ନୂତନ ରାଜନୈତିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ ରୁ ପ୍ରାର୍ଥୀ ହେବେ। ଏହି ଘୋଷଣା ପରେ ରାଜ୍ୟ ରାଜନୀତିରେ ବଡ଼ ହଲଚଲ ଖେଳିଯାଇଛି। ବିଧାୟିକା ସୋଫିଆ ଫିର୍ଦ୍ଦୋସ କଂଗ୍ରେସର ହାତ ଛାଡ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ, ଏକ ସାକ୍ଷାତକାରରେ ମହମ୍ମଦ ମୋକିମ୍ କଂଗ୍ରେସର ଶୀର୍ଷ ନେତୃତ୍ୱ ଓ କାର୍ଯ୍ୟଶୈଳୀ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସରେ ଆଉ ପୂର୍ବଭଳି ନୀତି, ଆଦର୍ଶ ବା ଶୃଙ୍ଖଳା ବଞ୍ଚି ନାହିଁ। ଯେଉଁ ରାଜ୍ୟରେ କଂଗ୍ରେସ ଲଗାତାର ଚାରି ଥର ପରାଜିତ ହୋଇଛି, ସେଠାରେ ଦଳ ଆଉ କେବେ ମୁଣ୍ଡ ଟେକି ଛିଡ଼ା ହୋଇପାରିନାହିଁ ବୋଲି ଇତିହାସ ସାକ୍ଷ୍ୟ ଦେଉଛି।

କେନ୍ଦ୍ରୀୟ ତଥା ରାଜ୍ୟ ସ୍ତରର ଭୁଲ୍ ନେତୃତ୍ୱ ଏବଂ ନେତାମାନଙ୍କ ମଧ୍ୟରେ ଲାଗି ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ଓ ଗୋଡ଼ ଟଣାଟଣି ଯୋଗୁଁ କଂଗ୍ରେସ ଆଜି ସମ୍ପୂର୍ଣ୍ଣ ତଳକୁ ଚାଲିଯାଇଛି। ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଥିବାରୁ ସୋଫିଆ ଆଉ ଏହି ଦଳରେ ରହିବେ ନାହିଁ ବୋଲି ମୋକିମ୍ ସ୍ପଷ୍ଟ କରିଛନ୍ତି। ଏହି ଘଟଣାକ୍ରମ ଓଡ଼ିଶା ରାଜନୀତିରେ ନୂଆ ମୋଡ଼ ଆଣିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *