ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ୨ ବରିଷ୍ଠ ଆଇପିଏସଙ୍କୁ ଡିଜି ପଦୋନ୍ନତି
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି। ଅତିରିକ୍ତ ଡିଜି (ADG) ପାହ୍ୟାରୁ ସେମାନଙ୍କୁ ଡିଜି (DG) ପାହ୍ୟାକୁ ପଦୋନ୍ନତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ପଦୋନ୍ନତି ପାଇଥିବା ଅଫିସରମାନେ ହେଲେ ସଞ୍ଜୀବ ପଣ୍ଡା ଓ ଯଶବନ୍ତ କୁମାର ଜେଠଓ୍ୱା। ଉଭୟ ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡରର ବରିଷ୍ଠ ଆଇପିଏସ୍ ଅଫିସର। ରାଜ୍ୟ ସରକାରଙ୍କ ଏହି ପଦୋନ୍ନତି ନିଷ୍ପତ୍ତି ପରେ ଓଡ଼ିଶା ପୋଲିସର ପରବର୍ତ୍ତୀ ଡିଜିପି ନେଇ ଚର୍ଚ୍ଚା ଅଧିକ ତୀବ୍ର ହୋଇପଡ଼ିଛି।
ସୂଚନା ଅନୁଯାୟୀ, ଆସନ୍ତା ୧୬ ତାରିଖରେ ବର୍ତ୍ତମାନ ଓଡ଼ିଶା ପୋଲିସର ଡିଜି ଯୋଗେନ୍ଦ୍ର ବାହାଦୁର ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ତାଙ୍କ ପରେ କିଏ ଓଡ଼ିଶା ପୋଲିସର ପରବର୍ତ୍ତୀ ଡିଜିପି ହେବେ, ତାହା ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଥିଲା। ଏହି ସମୟରେ ଦୁଇ ବରିଷ୍ଠ ଆଇପିଏସଙ୍କୁ ଡିଜି ପଦୋନ୍ନତି ଦେଇ ରାଜ୍ୟ ସରକାର ଏକ ବଡ଼ ସଙ୍କେତ ଦେଇଛନ୍ତି।
ସଞ୍ଜୀବ ପଣ୍ଡା ଓଡ଼ିଶା ପୋଲିସର ଜଣେ ଚର୍ଚ୍ଚିତ ଅଫିସର। ତାଙ୍କ ଜନ୍ମସ୍ଥାନ କଟକ ଓ ଜନ୍ମତାରିଖ ଜୁଲାଇ ୭, ୧୯୬୮। ସେ ନିଜ କାର୍ଯ୍ୟକାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନରେ ସଫଳତା ହାସଲ କରିଛନ୍ତି। ନିକଟରେ ଶେଷ ହୋଇଥିବା ମାଓ ଅପରେସନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା, ଯାହା ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧି।
ସେହିପରି ଯଶବନ୍ତ କୁମାର ଜେଠଓ୍ୱା ବର୍ତ୍ତମାନ ଓଡ଼ିଶା ଭିଜିଲାନ୍ସ ବିଭାଗରେ ଦାୟିତ୍ୱ ତୁଲାଉଛନ୍ତି। ପୂର୍ବରୁ ସେ ଓଡ଼ିଶା ପୋଲିସର ADG (ଲ ଆଣ୍ଡ ଅର୍ଡର), ADG (କ୍ରାଇମ ବ୍ରାଞ୍ଚ) ଓ IG (ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ) ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ସେ କେନ୍ଦ୍ରୀୟ ଡେପୁଟେସନରେ SPGରେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୨୩ ମସିହାରେ ତାଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଥିଲା।
ଏବେ ଦୁଇ ବରିଷ୍ଠ ଆଇପିଏସ ଡିଜି ପାହ୍ୟାକୁ ଉନ୍ନୀତ ହୋଇଥିବାରୁ ସେମାନଙ୍କ ମଧ୍ୟରୁ କେହି ଜଣେ ଓଡ଼ିଶାର ନୂଆ ଡିଜିପି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ସରକାରୀ ବିଜ୍ଞପ୍ତି ପରେ ଏନେଇ ସ୍ପଷ୍ଟ ହେବ।
