LatestNews

ଷଷ୍ଠ ରାଜ୍ୟ ଅର୍ଥ ଆୟୋଗଙ୍କ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ଓ ‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚନ

ଭୁବନେଶ୍ୱର (ସଂକେତ ଟିଭି): ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଆୟୋଗ ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ସମର୍ପଣ କରିଥିଲେ। ଏହାପୂର୍ବରୁ ଏହି ରିପୋର୍ଟ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ନାମକ ଏକ ନୂତନ ପୋର୍ଟାଲ ଉନ୍ମୋଚନ କରିଛନ୍ତି। ଏହି ପୋର୍ଟାଲ ରାଜ୍ୟ ଅର୍ଥ ଆୟୋଗ ଓ କେନ୍ଦ୍ର ଅର୍ଥ ଆୟୋଗ ଅନୁଦାନ ଅଧୀନରେ ହେଉଥିବା ରାସ୍ତା, ପାନୀୟ ଜଳ ଯୋଗାଣ, ପରିମଳ, ଆଲୋକୀକରଣ, ପାର୍କ ଆଦି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଅଗ୍ରଗତି ବିଷୟରେ ପ୍ରକୃତ ସୂଚନା ଦେବ। ନାଗରିକ, ନିର୍ବାଚିତ ପ୍ରତିନିଧି କିମ୍ବା ଯେକୌଣସି ବ୍ୟକ୍ତି https://samikshya.odisha.gov.in ଲିଙ୍କ୍ ମାଧ୍ୟମରେ ପ୍ରବେଶ କରି ପ୍ରକଳ୍ପ ଅଗ୍ରଗତି ତଦାରଖ କରିପାରିବେ।

ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଆର୍ଥିକ ମାନଦଣ୍ଡ, ପଞ୍ଚାୟତ ଢାଞ୍ଚା ପରିବର୍ତ୍ତନ, ଜନସାଧାରଣଙ୍କ ଜୀବନଧାରଣ ମାନ ବୃଦ୍ଧି ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ଥିତି ସୁଧାରିବା ଦିଗରେ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଆୟୋଗଙ୍କ ରିପୋର୍ଟରେ ସ୍ଥାନୀୟ ସଂସ୍ଥାଗୁଡ଼ିକର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ସମାନତା ବିଚାର, ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ଏବଂ ଗ୍ରାମୀଣ ଓ ସହରାଞ୍ଚଳର ପୃଥକ୍ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସ୍ଥାନୀୟ ସଂସ୍ଥାଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଆୟୋଗ ଆର୍ଥିକ ଏବଂ ଅଣ-ଆର୍ଥିକ ଉଭୟ ପ୍ରକାର ସୁପାରିଶ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମୁଖ୍ୟ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ। ଆୟୋଗ ସଦସ୍ୟ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ଡକ୍ଟର ବିଭୁ ପ୍ରସାଦ ନାୟକ, ସଦସ୍ୟ ସଚିବ ଡକ୍ଟର ସତ୍ୟ ପ୍ରିୟ ରଥ ଏବଂ ପଦାଧିକାରୀ ସଦସ୍ୟ ଓ ନିର୍ଦ୍ଦେଶକ (ପୌର ପ୍ରଶାସନ) ଶ୍ରୀ ଅରିନ୍ଦମ ଡାକୁଆ ଆଦି ବିଶେଷ ଭାବରେ ଉପସ୍ଥିତ ଥିଲେ।