ଅର୍ଥନୈତିକ ସର୍ଭେ ଉପସ୍ଥାପିତ: ୨୦୨୭ରେ ଜିଡିପି ଅଭିବୃଦ୍ଧି ୭.୨% ରହିବ ଆକଳନ
ନୂଆଦିଲ୍ଲୀ,(ସଂକେତ ଟିଭି): ବଜେଟ ପୂର୍ବରୁ କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ଅର୍ଥନୈତିକ ସର୍ଭେ ଆଜି ଜାନୁଆରୀ ୨୯ ତାରିଖରେ ସଂସଦରେ ଉପସ୍ଥାପିତ ହୋଇଛି। ଏହି ରିପୋର୍ଟ ଗତ ବର୍ଷ ଭିତରେ ଦେଶର ଅର୍ଥନୀତିର ସମ୍ପୁର୍ଣ୍ଣ ହିସାବ ପ୍ରଦାନ କରିଥାଏ। ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଭାରତର ସ୍ଥୂଳ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧିର ଉଚ୍ଚ ପରିସର ଆକଳନ ୭.୨% ଏବଂ ନିମ୍ନ ପରିସର ଆକଳନ ୬.୮% ରହିବ ବୋଲି ଆକଳନ କରାଯାଇଛି।
ଏଥିସହ, ପ୍ରଥମ ଥର ପାଇଁ ଅର୍ଥନୈତିତିକ ସର୍ଭେରେ କୃତ୍ରିମ ବୁଦ୍ଧିମତା (AI) ଉପରେ ଏକ ସ୍ଵତନ୍ତ୍ର ଅଧ୍ୟାୟ ସମ୍ମିଳିତ ହୋଇଛି। ଏହି ଅନୁସନ୍ଧାନ ଦର୍ଶାଏ ଯେ ଆଗାମୀ ଦିନରେ ସରକାର ଏହି ନୂଆ ପ୍ରଯୁକ୍ତିବିଦ୍ୟା ଉପରେ ବିଶେଷ ଗୁରୁତ୍ବ ଦେବେ। ବିଶ୍ୱବ୍ୟାପୀ ବିଭିନ୍ନ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି, ଏହି ସର୍ଭେ ଭାରତୀୟ ଅର୍ଥନୀତି ଉପରେ ବିଶ୍ୱସ୍ତରୀୟ ପ୍ରଭାବକୁ ସୀମିତ କରିବା ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଛି।
ଅର୍ଥନୈତିକ ସର୍ଭେର ମୁଖ୍ୟ ବିଷୟବସ୍ତୁ:
- ଏଥିରେ ସର୍ବମୋଟ ୧୬ଟି ଅଧ୍ୟାୟ ରହିଛି, ଯାହାକି ଦେଶର ଆର୍ଥିକ ସ୍ଥିତି, ଚ୍ୟାଲେଞ୍ଜ ଏବଂ ଭବିଷ୍ୟତର ଦିଗ ବିଷୟରେ ବିସ୍ତୃତ ମୂଲ୍ୟାଙ୍କନ ପ୍ରଦାନ କରେ।
- AI ପ୍ରଯୁକ୍ତିବିଦ୍ୟା ପାଇଁ ଏକ ସ୍ବତନ୍ତ୍ର ଅଧ୍ୟାୟ ସଂୟୋଜିତ ହୋଇଛି।
- ବଜେଟ ପୂର୍ବରୁ ଉପସ୍ଥାପିତ ଏହି ଦସ୍ତାବିଜ ଦେଶର ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫୀତି, ବେକାରୀ, ବାଣିଜ୍ୟ ଏବଂ ସାମଗ୍ରିକ ଆର୍ଥିକ ସ୍ଵାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥାଏ।
- ସୁନା ଓ ରୂପା ଆଭରଣର ବଢ଼ିଥିବା ଚାହିଦାକୁ ମଧ୍ୟ ଏଥିରେ ବିଶେଷ ଭାବେ ଉଲ୍ଲେଖ କରାଯାଇଛି।
- ଏହି ରିପୋର୍ଟ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଏକ ଦଳ ଦ୍ୱାରା ପ୍ରସ୍ତୁତ ହୋଇ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (CEA) ଦ୍ୱାରା ସଂସଦରେ ଉପସ୍ଥାପିତ ହୋଇଥାଏ।
