EducationFeaturedLatestNews

ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସର ହେବ ନିଶାମୁକ୍ତ ଜୋନ୍

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସମସ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସରକୁ ନିଶାମୁକ୍ତ ଜୋନ୍ ଘୋଷଣା କରାଯାଇଛି। ଏହି ପରିସୀମା ମଧ୍ୟରେ କୌଣସି ପ୍ରକାର ନିଶାଦ୍ରବ୍ୟ ବିକ୍ରୟ କେନ୍ଦ୍ର ଚାଲୁ ରଖିବାକୁ ଅନୁମତି ଦିଆଯିବ ନାହିଁ।

ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ୫୦୦ ମିଟର ପରିସର ମଧ୍ୟରେ ଥିବା ସମସ୍ତ ମଦ, ତମାଖୁ, ମାଦକ ଦ୍ରବ୍ୟ, ସାଇକୋଟ୍ରୋପିକ୍ ପଦାର୍ଥ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟର ବିକ୍ରୟ କେନ୍ଦ୍ରର ଯାଞ୍ଚ କରାଯିବ। ଏହି ଯାଞ୍ଚ ରିପୋର୍ଟ ଆସନ୍ତା ଜୁଲାଇ ୧୫ ସୁଦ୍ଧା ଦାଖଲ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

National Narcotics Coordination (NCORD)ର ନିର୍ଦ୍ଦେଶାବଳୀ ଏବଂ ସୁରକ୍ଷିତ, ସୁସ୍ଥ ଓ ନିଶାମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏଥିପାଇଁ ସମସ୍ତ କଲେଜକୁ ୫୦୦ ମିଟର ପରିସରର ଯାଞ୍ଚ କରି ନିର୍ଦ୍ଧାରିତ ତଥ୍ୟ HIMS ପୋର୍ଟାଲରେ ଅପଲୋଡ୍ କରିବାକୁ କୁହାଯାଇଛି।

ଫର୍ମାଟ୍ ରେ ଦେବାକୁ ହେବ ତଥ୍ୟ

ବିଭାଗ ପକ୍ଷରୁ ଜାରି କରାଯାଇଥିବା ଫର୍ମାଟ୍ ରେ ନିମ୍ନଲିଖିତ ସୂଚନା ଦେବାକୁ କୁହାଯାଇଛି:

  • କଲେଜ ପରିସରର ୫୦୦ ମିଟର ମଧ୍ୟରେ ମଦ ଦୋକାନ କିମ୍ବା ତମାଖୁଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ରହିଛି କି ନାହିଁ?
  • ଅବୈଧ ମାଦକ ଦ୍ରବ୍ୟ କାରବାର କିମ୍ବା ବ୍ୟବହାର ଚିହ୍ନଟ ହୋଇଛି କି?
  • ଯଦି ଏପ୍ରକାର କେନ୍ଦ୍ର ଚିହ୍ନଟ ହୋଇଥାଏ, ତେବେ ସମ୍ପୃକ୍ତ ଦୋକାନ କିମ୍ବା ସ୍ଥାନର ନାମ ଓ ଅବସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ କଲେଜ ଅଧ୍ୟକ୍ଷ ଏହି ନିର୍ଦ୍ଦେଶକୁ ଗମ୍ଭୀରତାର ସହ ପାଳନ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି ଆଶା କରାଯାଇଛି।

Leave a Reply

Your email address will not be published. Required fields are marked *