FeaturedHealthLatestNews

ରାଜ୍ୟର ସମସ୍ତ ଔଷଧ ଦୋକାନରେ ଲାଗିବ ଏକୀକୃତ ରେଟ୍ ଚାର୍ଟ

ଭୁବନେଶ୍ୱର (ସଂକେତ ଟିଭି): ଏଣିକି ଓଡ଼ିଶା ରାଜ୍ୟର ସମସ୍ତ ମେଡିସିନ ଷ୍ଟୋର ଆଗରେ ଦର ତାଲିକା (ରେଟ୍ ଚାର୍ଟ) ଲାଗିବ। ସାରା ରାଜ୍ୟ ପାଇଁ ଏହା ଏକ ସମାନ ଦର ହେବ। କେନ୍ଦ୍ର ସରକାର ୩୯ଟି ଔଷଧର ଦର ଧାର୍ଯ୍ୟ କରିବା ପରେ ଓଡ଼ିଶା ସରକାର ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆନୁଷ୍ଠାନିକ ଭାବେ ସୂଚନା ଦେଇ କେନ୍ଦ୍ର ରସାୟନ ମନ୍ତ୍ରାଳୟ ଜାରି କରିଥିବା ତାଲିକାକୁ ରାଜ୍ୟର ସମସ୍ତ ଔଷଧ ବିକ୍ରୟ କେନ୍ଦ୍ରରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାର ରକ୍ତଚାପ, ମଧୁମେହ, ହୃଦରୋଗ ଭଳି ଗୁରୁତର ରୋଗ ପାଇଁ ୩୫ଟି ପ୍ରମୁଖ ଔଷଧର ଦର ନିର୍ଦ୍ଧାରଣ କରିଛନ୍ତି। ଏହି ନିଷ୍ପତ୍ତି ପାଇଁ ମୁକେଶ ମହାଲିଙ୍ଗ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଦ୍ୱାରା ସାଧାରଣ ଲୋକମାନେ ସୁଲଭ ମୂଲ୍ୟରେ ଆବଶ୍ୟକୀୟ ଔଷଧ ପାଇପାରିବେ ବୋଲି ସେ କହିଛନ୍ତି।

ଅନ୍ୟପଟେ, ଖୋର୍ଦ୍ଧା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛି। ଔଷଧ ବ୍ୟବସାୟୀ ସଂଘର କହିବା ଅନୁସାରେ, ମେଡିସିନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ନ୍ୟାସନାଲ ଫାର୍ମାସୀ ପ୍ରାଇସିଂ ଅଥରିଟି (NPPA) ରହିଛି। ଏହି ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନେବାର ଅଧିକାର ବ୍ୟବସାୟୀଙ୍କୁ ନାହିଁ। ତେବେ ବିଭିନ୍ନ ବ୍ରାଣ୍ଡ୍ର ତାରତମ୍ୟ (ଭିନ୍ନତା) ଥିବା ଔଷଧ ଗୁଡ଼ିକ ପାଇଁ ଏହା ଅଧିକ ସୁବିଧା ଆଣିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଏହି ନୂଆ ନିୟମ କାର୍ଯ୍ୟକାରୀ ହେଲେ ଗ୍ରାହକମାନେ ଠକାମୀର ଶିକାର ହେବେ ନାହିଁ। ଗୋଟିଏ ସମାନ କମ୍ପୋଜିସନ୍ (ଉପାଦାନ) ଥିବା ଔଷଧ ସବୁ ସ୍ଥାନରେ ସମାନ ଦରରେ ଉପଲବ୍ଧ ହେବ। ଏହାଦ୍ୱାରା ସାଧାରଣ ଲୋକଙ୍କ ଅର୍ଥର ବଞ୍ଚତ ହେବା ସହ ଔଷଧ କ୍ଷେତ୍ରରେ ସ୍ୱଚ୍ଛତା ଆସିବ। ଗ୍ରାହକମାନେ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି ଯେ, ଏହା ଦ୍ୱାରା ସେମାନେ ଶୋଷଣରୁ ରକ୍ଷା ପାଇବେ।