ହୋମଷ୍ଟେ ପଞ୍ଜିକରଣ ନିୟମକୁ ସରଳ କଲେ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ହୋମଷ୍ଟେ ମାଲିକମାନଙ୍କ ପାଇଁ ନିୟମାବଳୀକୁ ଯଥେଷ୍ଟ କୋହଳ କରିଛନ୍ତି। ‘ଓଡ଼ିଶା ହୋମଷ୍ଟେ ଏଷ୍ଟାବ୍ଲିସମେଣ୍ଟ ସ୍କିମ୍, ୨୦୨୫’ ଅଧୀନରେ ଅଣଆର୍ଥିକ ପ୍ରୋତ୍ସାହନ ପାଇଁ ଆବଶ୍ୟକ ହେଉଥିବା ଜଟିଳ ଦସ୍ତାବିଜ୍ ପ୍ରକ୍ରିୟାକୁ ଅତ୍ୟନ୍ତ ସରଳ କରାଯାଇଛି।
ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଟ୍ରେଡ୍ ଲାଇସେନ୍ସ, ବିଲ୍ଡିଂ ପ୍ଲାନ୍, ଅଗ୍ନି ନିରାପତ୍ତା, ବୈଦ୍ୟୁତିକ ସୁରକ୍ଷା ଓ ବର୍ଜ୍ୟବସ୍ତୁ ପରିଚାଳନା—ଏହି ୫ଟି ପ୍ରମୁଖ କ୍ଷେତ୍ରରେ ଥିବା ଦ୍ୱନ୍ଦ୍ୱକୁ ସମ୍ପୂର୍ଣ୍ଣ ଦୂର କରି ସ୍ପଷ୍ଟୀକରଣ ଦିଆଯାଇଛି। ଏହି ନୂତନ ନିୟମ ଫଳରେ ହୋମଷ୍ଟେ ପଞ୍ଜିକରଣ ଏବେ ଅଧିକ ସହଜ ଓ ସ୍ୱଚ୍ଛ ହୋଇପାରିଛି।
ନୂତନ ନିୟମ ଅନୁସାରେ, କେବଳ ପୌରାଞ୍ଚଳ (ସହରାଞ୍ଚଳ)ରେ ଥିବା ହୋମଷ୍ଟେଗୁଡ଼ିକ ପାଇଁ ଟ୍ରେଡ୍ ଲାଇସେନ୍ସ ବାଧ୍ୟତାମୂଳକ ରହିବ। ତେବେ ଗ୍ରାମାଞ୍ଚଳର ହୋମଷ୍ଟେ ମାଲିକମାନେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ, ୧୯୬୪ର ଧାରା ୫୫ ଅଧୀନରେ ନିଜ ପଞ୍ଚାୟତରୁ ବ୍ୟବସାୟିକ ଲାଇସେନ୍ସ ନେଇପାରିବେ। ଯଦି ପଞ୍ଚାୟତ ଏପରି ଲାଇସେନ୍ସ ଦେଉନଥାଏ, ତେବେ ଆବେଦନକାରୀ କେବଳ ଏକ ଲିଖିତ ସ୍ୱୟଂ ଘୋଷଣାନାମା ଦାଖଲ କରି କାର୍ଯ୍ୟ ଆରମ୍ଭ କରିପାରିବେ।
ବିଲ୍ଡିଂ ପ୍ଲାନ୍ ଅନୁମୋଦନ କ୍ଷେତ୍ରରେ, ବିକାଶ କର୍ତ୍ତୃପକ୍ଷ, ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ ବା ସ୍ୱତନ୍ତ୍ର ଯୋଜନା କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ହୋମଷ୍ଟେ ପାଇଁ ଏହା ବାଧ୍ୟତାମୂଳକ ରହିଛି। କିନ୍ତୁ ଗ୍ରାମାଞ୍ଚଳରେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୨୦୧୮ ଜୁନ୍ ୭ ତାରିଖର ନିର୍ଦ୍ଦେଶନାମା ଅନୁସାରେ, ୫୦୦ ବର୍ଗମିଟରରୁ ଅଧିକ ଜମି କିମ୍ବା ଗ୍ରାଉଣ୍ଡ+୨ (ଏ+୨) ମହଲାରୁ ଅଧିକ ଉଚ୍ଚତା ଥିଲେ ହିଁ ବିଲ୍ଡିଂ ପ୍ଲାନ୍ ଆବଶ୍ୟକ। ଅନ୍ୟଥା ସାଧାରଣ ଘର ପାଇଁ ଏହା ଜରୁରୀ ନୁହେଁ।
ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବାବଦରେ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ, ଓଡ଼ିଶା ଅଗ୍ନି ନିରାପତ୍ତା ନିୟମାବଳୀ ୨୦୧୭ (୨୦୧୯ ସଂଶୋଧନ) ଅନୁସାରେ ୧୨ ମିଟର ବା ତହିଁରୁ ଅଧିକ ଉଚ୍ଚ କିମ୍ବା ୫୦୦ ବର୍ଗମିଟର ବା ତହିଁରୁ ଅଧିକ ନିର୍ମାଣ କ୍ଷେତ୍ରଫଳ ଥିବା କୋଠା ପାଇଁ ହିଁ ଏହି ପ୍ରମାଣପତ୍ର ଆବଶ୍ୟକ। ସେହିପରି, ବୈଦ୍ୟୁତିକ ସୁରକ୍ଷା ପ୍ରମାଣପତ୍ର କ୍ଷେତ୍ରରେ ଶକ୍ତି ବିଭାଗର ୨୦୨୬ ଜୁନ୍ ୧୦ ତାରିଖର ବିଜ୍ଞପ୍ତି ଅନୁସାରେ, ୫ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଚୁକ୍ତିବଦ୍ଧ ଚାହିଦା ଥିବା ହୋମଷ୍ଟେଗୁଡ଼ିକୁ କୌଣସି ଇଲେକ୍ଟ୍ରିକାଲ ସେଫ୍ଟି ସାର୍ଟିଫିକେଟ୍ ଦାଖଲ କରିବାକୁ ପଡ଼ିବ ନାହିଁ।
କଠିନ ବର୍ଜ୍ୟବସ୍ତୁ ପରିଚାଳନା ଶୁଳ୍କ (ୟୁଜର ଫି) ରସିଦ କିମ୍ବା ପଞ୍ଜିକରଣ ପ୍ରମାଣପତ୍ର କେବଳ ସହରାଞ୍ଚଳ ହୋମଷ୍ଟେ ପାଇଁ ବାଧ୍ୟତାମୂଳକ। ଗ୍ରାମାଞ୍ଚଳରେ ଯଦି ପଞ୍ଚାୟତ ଦ୍ୱାରା ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା ଥାଏ, ତେବେ ପଞ୍ଚାୟତ ପ୍ରଦତ୍ତ ରସିଦ ଦାଖଲ କରିବାକୁ ହେବ। ଯେଉଁଠି ଏପରି ବ୍ୟବସ୍ଥା ନାହିଁ, ସେଠାରେ ଆବେଦନକାରୀ ପଞ୍ଚାୟତିରାଜ ବିଭାଗର ନିୟମ ମାନି ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା ନେଇ ଏକ ସାଧାରଣ ପ୍ରତିଶ୍ରୁତି ପତ୍ର ଦାଖଲ କରି ପଞ୍ଜିକରଣ ସମ୍ପୂର୍ଣ୍ଣ କରିପାରିବେ।
ସରକାରଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ଫଳରେ ସାଧାରଣ ଲୋକଙ୍କ ପାଇଁ ହୋମଷ୍ଟେ ପଞ୍ଜିକରଣ ଅତ୍ୟନ୍ତ ସୁଗମ ହୋଇପାରିଛି। ଏହା ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ସହ ଗ୍ରାମୀଣ ଅଞ୍ଚଳରେ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
