୧୧ ସେପ୍ଟେମ୍ବରରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ ଘୋଷଣା
ନୂଆଦିଲ୍ଲୀ(ସଂକେତ ଟିଭି): ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ (ୟୁଏଫବିୟୁ) ସେପ୍ଟେମ୍ବର ୧୧ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି। କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନା, ୫ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗ ଏବଂ ପେନସନ ସମ୍ବନ୍ଧୀୟ ବିଭିନ୍ନ ଦାବି ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି। ଯଦି ଏହି ଧର୍ମଘଟ ହୁଏ ତେବେ ଦେଶର ଅନେକ ସ୍ଥାନରେ ଚାରି ଦିନ ଧରି ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି।
ସେପ୍ଟେମ୍ବର ୧୧ ଶୁକ୍ରବାର ପଡୁଥିବାରୁ ଏହାର ପରବର୍ତ୍ତୀ ଦୁଇ ଦିନ ବ୍ୟାଙ୍କ ଛୁଟି ରହିଛି। ସେପ୍ଟେମ୍ବର ୧୪ ଗଣେଶ ଚତୁର୍ଥୀ ଅବସରରେ କେତେକ ରାଜ୍ୟରେ ଛୁଟି ଘୋଷଣା କରାଯାଇଛି। ଫଳରେ ଧର୍ମଘଟ ହେଲେ ଗ୍ରାହକମାନେ ଦୀର୍ଘ ଚାରି ଦିନ ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ରହିପାରନ୍ତି।
୯ଟି ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ୟୁନିଅନର ମିଳିତ ସଂଗଠନ ସେପ୍ଟେମ୍ବର ୨୮ ରୁ ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟର ମଧ୍ୟ ଚେତାବନୀ ଦେଇଛି। ଏହି ସମୟ ଅର୍ଦ୍ଧବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେବାର ସମୟ ସହ ମେଳ ଖାଉଛି, ଯାହା ବ୍ୟାଙ୍କିଙ୍ଗ କାର୍ଯ୍ୟକୁ ଅଧିକ ପ୍ରଭାବିତ କରିପାରେ।
ସରକାର ଏବଂ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଯଦି ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନକରନ୍ତି ତେବେ ଅକ୍ଟୋବର ୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ବ୍ୟାଙ୍କ ସଂଘ ନିଷ୍ପତ୍ତି ନେଇଛନ୍ତି। ଏହା ଦେଶର ସମଗ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଗଭୀର ଭାବେ ପ୍ରଭାବିତ କରିପାରେ।
ସରକାରଙ୍କ ନକାରାତ୍ମକ ମନୋଭାବ ଯୋଗୁଁ ରବିବାର ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ୟୁଏଫବିୟୁ ଏକ ବିବୃତ୍ତିରେ କହିଛି। ସଂଘର କହିବା ଅନୁଯାୟୀ, ସରକାରୀ ମନୋଭାବ ଯୋଗୁଁ ବାର୍ତ୍ତାଳାପ ପ୍ରକ୍ରିୟା ଠପ୍ ହୋଇଯାଇଛି।
୫ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗରେ ସଂଘ କହିଛି ଯେ ୮ ମାର୍ଚ୍ଚ ୨୦୨୪ ରେ ସ୍ୱାକ୍ଷରିତ ଦ୍ବାଦଶ ଦ୍ୱିପାକ୍ଷିକ ଚୁକ୍ତିନାମା/୯ମ ମିଳିତ ନୋଟର ଅଂଶ ବିଶେଷ ଭାବରେ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (ଆଇବିଏ) ଏହି ପ୍ରସ୍ତାବରେ ସହମତି ଦେଖାଇଥିଲା। ସେଥିରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ ଅବଧି ୪୦ ମିନିଟ୍ ବୃଦ୍ଧି କରାଯିବାର ଥିଲା। କିନ୍ତୁ ଏହି ପ୍ରସ୍ତାବ ଦୁଇ ବର୍ଷରୁ ଅଧିକ ସମୟ ଧରି ସରକାରଙ୍କ ବିଚାରାଧୀନ ରହିଛି।
ସ୍କେଲ 4 ଏବଂ ତା ଠାରୁ ଉପର ବ୍ୟାଙ୍କ ଅଫିସର ମାନଙ୍କ ପାଇଁ ସରକାରଙ୍କ ପିଏଲଆଇ ଯୋଜନାକୁ ମଧ୍ୟ ସଂଘ ଗୁଡ଼ିକ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଆଇବିଏ ସହିତ ହୋଇଥିବା ବୁଝାମଣା ଠାରୁ ଏହା ଭିନ୍ନ। ଆଇବିଏ ବୁଝାମଣା ଅନୁଯାୟୀ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ବ୍ୟାଙ୍କ ଗୁଡ଼ିକର ସାମଗ୍ରିକ ପ୍ରଦର୍ଶନ ସହିତ ଜଡ଼ିତ ହେବ ଏବଂ ସ୍କେଲ 6 ପର୍ଯ୍ୟନ୍ତ କର୍ମଚାରୀ ଓ ଅଫିସରମାନଙ୍କ ପାଇଁ ସମାନ ରହିବ।
କିନ୍ତୁ ସରକାରଙ୍କ ଯୋଜନା ଅନୁଯାୟୀ ସ୍କେଲ 4 ଏବଂ ତା ଠାରୁ ଉପର ଅଫିସରମାନେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ସେମାନଙ୍କର ମୂଳ ଦରମାର ୩୬୫ ଦିନ ପର୍ଯ୍ୟନ୍ତ ପିଏଲଆଇ ପାଇପାରିବେ। ସେହିପରି ଅନ୍ୟ କର୍ମଚାରୀ ଏବଂ ସ୍କେଲ 3 ପର୍ଯ୍ୟନ୍ତ ଅଫିସରମାନେ ସର୍ବାଧିକ ୧୫ ଦିନର ମୂଳ ଦରମା ସହିତ ମହଙ୍ଗା ଭତ୍ତା ପାଇବେ, ଯାହାକୁ ସଂଘ ଭେଦଭାବପୂର୍ଣ୍ଣ ବୋଲି ଅଭିହିତ କରିଛି।
ୟୁନିଅନ ପକ୍ଷରୁ ଧର୍ମଘଟ ଡାକରା ପରେ ପିଏଲଆଇ ପ୍ରସଙ୍ଗ ବର୍ତ୍ତମାନ ମୁଖ୍ୟ ଶ୍ରମ କମିଶନରଙ୍କ ନିକଟରେ ମଧ୍ୟସ୍ଥତା ପାଇଁ ରହିଛି। ଏହି ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ବିଚାରାଧୀନ ଅଛି ବୋଲି ସଂଘ ଦାବି କରିଛି।
ସଂଘ ଆହୁରି ଅଭିଯୋଗ କରିଛି ଯେ ମଧ୍ୟସ୍ଥତା ପ୍ରକ୍ରିୟା ଚାଲିଥିବା ଏବଂ ଆଇବିଏ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା ସତ୍ତ୍ୱେ ଆର୍ଥିକ ସେବା ବିଭାଗ (ଡିଏଫଏସ) ସରକାରଙ୍କ କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନା ଲାଗୁ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛି।
ସଂଘ ଯୁକ୍ତି ଦର୍ଶାଇଛି ଯେ ଡିଏଫଏସ ଦ୍ୱାରା ପ୍ରସ୍ତାବିତ ବର୍ତ୍ତମାନର ଯୋଜନା କେବଳ ଅଫିସର ମାନଙ୍କ ଏକ ଛୋଟ ଗୋଷ୍ଠୀକୁ ଅସମାନ ଭାବେ ଲାଭାନ୍ୱିତ କରିବ, ଯାହା ନ୍ୟାୟସଙ୍ଗତ ନୁହେଁ।
ପେନସନର ନବୀକରଣ ଓ ସୁଧାର, ସମସ୍ତ ପେନସନଭୋଗୀଙ୍କ ପାଇଁ ଏକ ସମାନ ମହଙ୍ଗା ଭତ୍ତା ଏବଂ ଜାତୀୟ ପେନସନ ବ୍ୟବସ୍ଥା (ଏନପିଏସ) ଅନ୍ତର୍ଭୁକ୍ତ କର୍ମଚାରୀମାନଙ୍କୁ ପୁରୁଣା ପେନସନ ଯୋଜନାକୁ ଫେରିବାର ସୁଯୋଗ ଦେବା ଭଳି ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟ ଅମୀମାଂସିତ ରହିଛି। ଏସବୁ ଦାବି ଉପରେ ସରକାରୀ ସ୍ତରରୁ କୌଣସି ସକାରାତ୍ମକ ପଦକ୍ଷେପ ନ ନେବା ଯୋଗୁଁ ସଂଘ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହୋଇଛି।
