କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟପ୍ରଦେଶ ରାଜ୍ୟସଭା ଆସନରୁ ବିଜେପି ପ୍ରାର୍ଥୀ ଘୋଷିତ
ଭୋପାଲ(ସଂକେତ ଟିଭି): ଭାରତୀୟ ଜନତା ପାର୍ଟି (ବିଜେପି) କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ମଧ୍ୟପ୍ରଦେଶରେ ଖାଲି ହୋଇଥିବା ରାଜ୍ୟସଭା ଆସନ ଲାଗି ନିଜର ପ୍ରାର୍ଥୀ ଘୋଷିତ କରିଛି। ଏହି ଆସନଟି କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗନଙ୍କ ଇସ୍ତଫା କାରଣରୁ ଖାଲି ହୋଇଥିଲା। ଏହି ଉପନିର୍ବାଚନ ଲାଗି ନଭେମ୍ବର ୧୨ ତାରିଖରେ ଭୋଟ ଗ୍ରହଣ ଆୟୋଜିତ ହେବ।
ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ କାର୍ଯ୍ୟକାଳ ନଭେମ୍ବର ମାସରେ ଶେଷ ହେଉଛି। ତେବେ ନିକଟରେ ଶେଷ ହୋଇଥିବା ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ତାଲିକାରେ ୮ ନୂଆ ମୁହଁଙ୍କୁ ସାମିଲ କରିଥିଲା। ଏଣୁ ପୁରୀଙ୍କୁ ଦ୍ୱିତୀୟବାର ପ୍ରାର୍ଥୀ କରାଯାଇନଥିଲା। ଉତ୍ତରପ୍ରଦେଶର ସମସ୍ତ ୧୦ଟି ରାଜ୍ୟସଭା ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବିଜେପି ପ୍ରାର୍ଥୀଙ୍କୁ ନିର୍ବିରୋଧ ନିର୍ବାଚିତ ଘୋଷଣା କରାଯାଇଥିଲା।
ଅନ୍ୟପଟେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଏଲ. ମୁରୁଗନ ତାମିଲନାଡୁ ରାଜନୀତିରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଓ ଉଚ୍ଚ ସଦନରୁ ଇସ୍ତଫା ଦେଇଥିଲେ। ରାଜ୍ୟସଭା ସାଂସଦ ଭାବେ ଏଲ. ମୁରୁଗନଙ୍କ କାର୍ଯ୍ୟକାଳ ୨୦୩୦ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଥିଲା। ତେବେ ତାଙ୍କ ଅଚାନକ ଇସ୍ତଫା ଯୋଗୁ ମଧ୍ୟପ୍ରଦେଶରେ ଉପନିର୍ବାଚନର ଆବଶ୍ୟକତା ପଡିଛି।
ହେଲେ ଏବେ ସଙ୍ଗଠନ ହରଦୀପ ସିଂହଙ୍କୁ ଏହି ଆସନରୁ ପ୍ରାର୍ଥୀ କରି ତାଙ୍କୁ ସଂସଦର ଉଚ୍ଚସଦନକୁ ପଠାଇବାର ମାର୍ଗ ପ୍ରଶସ୍ତ କରିଛି। ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଭାବେ ହରଦୀପ ସିଂହ ପୁରୀଙ୍କ କାର୍ଯ୍ୟକାଳ ଖୁବ କମ ସମୟ ବୋଲି ଚର୍ଚ୍ଚା ହେଉଥିଲା। ତେବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ତାଙ୍କ ସ୍ଥାନ ଏବେ ଦୃଢ ଥିବା ପ୍ରମାଣିତ ହୋଇଛି।
