BusinessFeaturedLatestNews

୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ, ଶିକ୍ଷା ଓ କୃଷିକୁ ଗୁରୁତ୍ଵ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଏକ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ, ସଂସ୍କୃତି, କୃଷି ଏବଂ ମହିଳା ସଶକ୍ତୀକରଣ ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ଗତି ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଅତିରିକ୍ତ ବଜେଟ୍ରେ ଶିକ୍ଷା କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରାଥମିକ ଏବଂ ଉଚ୍ଚଶିକ୍ଷାର ମୂଲ୍ୟାୟନ ପାଇଁ ୨,୩୨୭ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଛି। ଶିକ୍ଷା ପରେ କୃଷି କ୍ଷେତ୍ରକୁ ଦ୍ୱିତୀୟ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ରାଜ୍ୟର ଚାଷୀଙ୍କ ପାଇଁ ୧,୬୭୩ କୋଟି ଟଙ୍କା ବରାଦ କରାଯାଇଛି। ଏଥିସହ ମହିଳା ଏବଂ ଶିଶୁ ବିକାଶ ବିଭାଗ ପାଇଁ ୧,୫୫୮ କୋଟି ଟଙ୍କା ଅନୁମୋଦିତ ହୋଇଛି।

ଅନ୍ୟାନ୍ୟ କ୍ଷେତ୍ରରେ, ସ୍ୱାସ୍ଥ୍ୟ ବିଭାଗ ପାଇଁ ୧,୧୬୪ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୪୦ କୋଟି ଏବଂ ମମତା ଯୋଜନା ପାଇଁ ୧୪୧ କୋଟି ଟଙ୍କା ବରାଦ ହୋଇଛି। ଶିଳ୍ପ ଓ MSME ଖାତା ପାଇଁ ୩୩୭ କୋଟି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି ଏବଂ ପଞ୍ଚାୟତିରାଜ ବିଭାଗ ପାଇଁ ୬୧୬ କୋଟି ଟଙ୍କା ରଖାଯାଇଛି। ଏହା ବ୍ୟତୀତ ପର୍ଯ୍ୟଟନ ଓ ପରିବେଶ ବିକାଶ, ନନ୍ଦନକାନନର ଉନ୍ନୟନ, ଓଡ଼ିଆ ଭାଷା ଉନ୍ନୟନ ଆଦି ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇଛି।