FeaturedLatestNews

ହେଲମେଟ ନପିନ୍ଧିବାରୁ ଅଟୋ ରିକ୍ସା ଚାଳକଙ୍କୁ ଫାଇନ୍

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାର ଆଗରପଡ଼ା ଅଞ୍ଚଳରୁ ଏକ ଅସାମାନ୍ୟ ଅଭିଯୋଗ ସାମ୍ନାକୁ ଆସିଛି । ସାଧାରଣତଃ ବିନା ହେଲମେଟରେ ବାଇକ ଚଳାଉଥିବା ଚାଳକଙ୍କୁ ହିଁ ଜରିମାନା ହୋଇଥାଏ, କିନ୍ତୁ ଏଥର ଜରିମାନା ହୋଇଛି ଜଣେ ଅଟୋ ରିକ୍ସା ଚାଳକଙ୍କୁ ।

ଘଟଣାଟି ଭଦ୍ରକ ଜିଲ୍ଲା ବାଇଦାପୋଖରୀ ନିକଟରେ ଚାଲାଣ କରାଯାଇଥିବା ବେଳେ ଦେଖିବାକୁ ମିଳିଛି । ଅଟୋ ଚାଳକ ରାମକୃଷ୍ଣ ନାଥଙ୍କ ଯାନଟିର ନାମରେ ଏକ ହଜାର ଟଙ୍କାର ଏକ ବକେୟା ଜରିମାନା ରହିଥିବା ଜଣାପଡିଛି । ତାଙ୍କ ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିବାକୁ ଯାଇଥିବା ବେଳେ ଏହି ବକେୟା ଫାଇନ୍ ବାବଦରେ ତାଙ୍କୁ ଜଣାପଡିଥିଲା ।

ଆଶ୍ଚର୍ଯ୍ୟର ବିଷୟ ହେଲା, ଏହି ଜରିମାନା ଗାଡ଼ିର କାଗଜପତ୍ର ବା ପ୍ରଦୂଷଣ କାରଣରୁ ନଥିଲା, ବରଂ ତାଙ୍କୁ ହେଲମେଟ ନ ପିନ୍ଧିଥିବା ଅପରାଧରେ କଟାଯାଇଥିଲା । ମୋଟର ଯାନ ଆଇନ ଅନୁଯାୟୀ, ହେଲମେଟ ବାଧ୍ୟତାମୂଳକ କେବଳ ଦୁଇଚକିଆ ଯାନ ଚାଳକ ଓ ଯାତ୍ରୀଙ୍କ ପାଇଁ ହୋଇଥିବା ବେଳେ, ତିନିଚକିଆ ଅଟୋ ପାଇଁ ଏପରି ଜରିମାନା କାଟିବା ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ଚିନ୍ତାର ବିଷୟ ହେଲା ଜରିମାନାଟି ଆଜିର ନ ହୋଇ ୧୭ ନଭେମ୍ବର ୨୦୨୧ ମସିହାର । ଗାଡ଼ିଟି ଏକ ମାଲ୍‌ ବୋଝେଇ ଅଟୋ ହୋଇଥିଲେ ମଧ୍ୟ, ଚାଲାଣ ଦଲିଲରେ ଏହାକୁ ଏକ ‘ଥ୍ରୀ-ହ୍ୱିଲର ପାସେଞ୍ଜର ଅଟୋ’ ଭାବେ ଦର୍ଶାଯାଇଛି । ସବୁଠାରୁ ବଡ଼ ବିରକ୍ତିକର କଥା ହେଲା, ୨୦୨୧ ମସିହାରେ ଘଟିଥିବା ଏକ ତ୍ରୁଟି ପାଇଁ ୨୦୨୬ ମସିହାରେ ରାମକୃଷ୍ଣ ହଇରାଣ ହେଉଛନ୍ତି । ଏହି ପୁରୁଣା ଜରିମାନା ବକେୟା ଥିବାରୁ, ତାଙ୍କ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପଲ୍ୟୁସନ ସାର୍ଟିଫିକେଟ୍) ଅଟକି ରହିଛି, ଯାହା ପୋଲିସର ଭୁଲ୍‌ ରେକର୍ଡ଼ ପାଇଁ ସ୍ପଷ୍ଟ ଦାୟୀ ବୋଲି ଅଭିଯୋଗ ହେଉଛି ।