FeaturedLatestNews

ସୁଭଦ୍ରା ଚତୁର୍ଥ କିସ୍ତି: ମହିଳାଙ୍କ ଖାତାରେ ଜମା ହେଲା ଟଙ୍କା

ପୁରୀ (ସଂକେତ ଟିଭି) ଆନ୍ତର୍ଜାତୀୟ ମହିଳା ଦିବସର ଶୁଭ ଅବସରରେ ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇଛି। ପୁରୀ ଜିଲ୍ଲା ତାଳବଣିଆ ସଭାସ୍ଥଳୀରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରାଶି ଉତ୍ସର୍ଗ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକକାଳୀନ ଭାବରେ ୫ ହଜାର କୋଟି ଟଙ୍କାରୁ ଅଧିକ ରାଶି ଉତ୍ସର୍ଗ କରିଥିଲେ। ଏହି କିସ୍ତିରେ ରାଜ୍ୟର ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ମହିଳା ହିତାଧିକାରୀଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ସ୍ଥାନାନ୍ତର କରାଯାଇଛି। ବିଶେଷ କରି ଏହି କିସ୍ତିରେ ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂତନ ହିତାଧିକାରୀ ସାମିଲ ହୋଇଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ସୁଭଦ୍ରା ଯୋଜନାର ଲାଭ ପାଇଛନ୍ତି।

ତାଳବଣିଆ ସଭାସ୍ଥଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚରୁ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଟଙ୍କା ସ୍ଥାନାନ୍ତର ପ୍ରକ୍ରିୟା ଦେଖାଯାଇଥିଲା। ଏହି ଅବସରରେ ସଫଳତା ହାସଲ କରିଥିବା ବହୁ ସୁଭଦ୍ରା ହିତାଧିକାରୀଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ଏହି ସମ୍ମାନ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ।

ସୂଚନାଯୋଗ୍ୟ, ୧୭ ସେପ୍ଟେମ୍ବର ୨୦୨୪ ରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ନାମ ଦେବୀ ସୁଭଦ୍ରାଙ୍କ ନାମରେ ନାମିତ ହୋଇଛି, ଯାହା ଶକ୍ତି ଓ ସୁରକ୍ଷାର ପ୍ରତୀକ। ଏହା ପୂର୍ବରୁ ତିନୋଟି କିସ୍ତିରେ ହିତାଧିକାରୀମାନେ ୧୫ ହଜାର ଟଙ୍କା ପାଇ ସାରିଛନ୍ତି। ଚତୁର୍ଥ କିସ୍ତି ସହିତ ମୋଟ୍ ପ୍ରଦାନ କରାଯାଇଥିବା ରାଶି ୨୦ ହଜାର ଟଙ୍କାରେ ପହଞ୍ଚିଛି।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏହି ଅବସରରେ ସୂଚନା ଦେଇଥିଲେ ଯେ, ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ୨୧ ବର୍ଷ ବୟସ ପୂରଣ କରିଥିବା ମହିଳାମାନେ ଏହି ଯୋଜନାରେ ଆବେଦନ କରିପାରିବେ। ଯୋଗ୍ୟ ବିବେଚିତ ହେଲେ ସେମାନେ ଆଗାମୀ କିସ୍ତିରେ ଲାଭ ପାଇପାରିବେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଯେଉଁ ମହିଳାମାନଙ୍କ ବୟସ ୬୦ ବର୍ଷ ହେବ, ସେମାନେ ସ୍ୱୟଂଚାଳିତ ଭାବରେ ପେନସନ ଯୋଜନା ଅଧୀନରେ ସାମିଲ ହେବେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲେଖିଛନ୍ତି, ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ସୁଭଦ୍ରା ଯୋଜନା। ମା’ ଓ ଭଉଣୀମାନଙ୍କୁ ସ୍ୱାବଲମ୍ବୀ କରିବାର ଦାୟିତ୍ୱ ନେବା ସହ ଦେଇଛି ଆର୍ଥିକ ସ୍ୱାଧୀନତା।”