FeaturedLatestNews

ରାଜ୍ୟରେ ୭୧୧ କୋଟି ସାଇବର ଠକେଇ, ଫେରିଲା ମାତ୍ର ୭ କୋଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଧାନସଭାରେ ଉପସ୍ଥାପିତ ଏକ ତଥ୍ୟ ଅନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ (୨୦୨୪ ଓ ୨୦୨୫) ସାଇବର ଠକମାନେ ରାଜ୍ୟବାସୀଙ୍କଠାରୁ ୭୧୧ କୋଟି ଟଙ୍କାରୁ ଅଧିକ ଟଙ୍କା ଠକି ନେଇଥିବା ବେଳେ ମାତ୍ର ୭ କୋଟି ଟଙ୍କା ଉଦ୍ଧାର କରାଯାଇପାରିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବିଧାନସଭାରେ ଲିଖିତ ଉତ୍ତର ରଖି ଏହି ଆଖି ତରାଟିଦେବା ଭଳି ତଥ୍ୟ ସଦସ୍ୟଙ୍କ ଗୋଚରାର୍ଥ କରାଇଥିଲେ।

ଦୁଇ ବର୍ଷର ଆକଳନ

ଉପସ୍ଥାପିତ ତଥ୍ୟ ଅନୁଯାୟୀ:

  • ୨୦୨୪ ମସିହା: ଜୁନ ୧ରୁ ଡିସେମ୍ବର ଶେଷ ମଧ୍ୟରେ ୨୭ ହଜାର ୩୬୮ ଟି ସାଇବର ଅଭିଯୋଗ ରୁଜୁ ହୋଇଥିଲା। ଠକମାନେ ୨୭୯ କୋଟି ୭୧ ଲକ୍ଷ ୨୯ ହଜାର ୬୬୨ ଟଙ୍କା ଲୁଟି ନେଇଥିଲେ। ଏଥିମଧ୍ୟରୁ ମାତ୍ର ୨ କୋଟି ୪୭ ଲକ୍ଷ ୮୭ ହଜାର ୨୬୮ ଟଙ୍କା ପୀଡ଼ିତଙ୍କୁ ଫେରସ୍ତ କରାଯାଇପାରିଥିଲା। ୨୩ କୋଟି ୬୪ ଲକ୍ଷ ୩୦ ହଜାର ୭୬୮ ଟଙ୍କାକୁ ଫ୍ରିଜ୍ କରାଯାଇପାରିଥିଲା।
  • ୨୦୨୫ ମସିହା: ଏହି ବର୍ଷ ୪୯ ହଜାର ୪୨୬ ଟି ମାମଲା ରୁଜୁ ହୋଇଥିଲା। ସାଇବର ଲୁଟେରାମାନେ ୪୩୨ କୋଟି, ୨୮ ଲକ୍ଷ ଟଙ୍କା ଠକି ନେଇଥିବାବେଳେ ମାତ୍ର ୫ କୋଟି ୩୧ ଲକ୍ଷ, ୪୫ ହଜାର ୮୮୬ ଟଙ୍କା ଫେରସ୍ତ ହୋଇପାରିଛି। ଏହି ବର୍ଷ ୬୮ କୋଟି ୭୧ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି।

ଏହି ଦୁଇ ବର୍ଷରେ ମୋଟ୍ ୭୧୧ କୋଟି ଟଙ୍କାରୁ ଅଧିକ ଲୁଟ୍ ହୋଇଥିବାବେଳେ ମୋଟ୍ ଉଦ୍ଧାର (ଫେରସ୍ତ) ରାଶି ୭ କୋଟି ୭୮ ଲକ୍ଷ ଟଙ୍କାରୁ ମଧ୍ୟ କମ୍।

ମାମଲା ଓ ଗିରଫ

ଜୁନ ୨୦୨୪ରୁ ଡିସେମ୍ବର ୨୦୨୫ ମଧ୍ୟରେ ବିଭିନ୍ନ ପ୍ରକାର ସାଇବର ଅପରାଧରେ ୪,୨୩୮ ଜଣଙ୍କୁ ଗିରଫ କରାଯାଇଛି।

  • ଆର୍ଥିକ ଠକେଇ: ୨,୪୮୨ ଟି ମାମଲା, ୧,୭୨୨ ଜଣ ଗିରଫ।
  • ସାମାଜିକ ଗଣମାଧ୍ୟମ ଠକେଇ: ୧,୬୮୯ ଟି ମାମଲା, ୬୩୮ ଜଣ ଗିରଫ।
  • ହ୍ୟାକିଂ: ୧୪ ଟି ମାମଲା, ଜଣେ ଗିରଫ।
  • ଅନ୍ୟାନ୍ୟ: ୫୩ ଟି ମାମଲା, ୫୭ ଜଣ ଗିରଫ। ସରକାରୀ ୱେବସାଇଟ୍ ଉପରେ ଆକ୍ରମଣ

ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ, କେବଳ ସାଧାରଣ ନାଗରିକ ନୁହଁନ୍ତି, ସରକାରଙ୍କ ବିଭିନ୍ନ ୱେବସାଇଟ୍ ମଧ୍ୟ ସାଇବର ଠକଙ୍କ ଟାର୍ଗେଟରେ ରହିଛି। ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ସରକାରଙ୍କ ଡାଟା ସେଣ୍ଟରରେ ହୋଷ୍ଟ ହୋଇଥିବା ୱେବସାଇଟ୍ଗୁଡ଼ିକ ଉପରେ ପ୍ରାୟ ୭୦୦୫ ଥର ସାଇବର ଆକ୍ରମଣ ହେବାକୁ ଚେଷ୍ଟା ହୋଇଛି।

ସେ କହିଛନ୍ତି ଯେ, ଏହି ଆକ୍ରମଣଗୁଡ଼ିକ ମୁଖ୍ୟତଃ ଋଷ, ଚୀନ, ଉତ୍ତର କୋରିଆ, ଇରାନ, ନାଇଜେରିଆ ଓ ରୋମାନିଆ ଭଳି ଦେଶରୁ କରାଯାଇଥିଲା। ତେବେ ରାଜ୍ୟ ସାଇବର ସିକୁରିଟି ଅପରେସନ ସେଣ୍ଟର ଏହି ସମସ୍ତ ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହୋଇଛି, ଫଳରେ କୌଣସି ସରକାରୀ ୱେବସାଇଟ୍ ହ୍ୟାକ୍ ହୋଇନାହିଁ।

ସୁରକ୍ଷା ବ୍ୟବସ୍ଥା

ସୂଚନା ଅନୁଯାୟୀ, ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, ରାଜ୍ୟପାଳଙ୍କ ସଚିବାଳୟ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ଥିବା ପ୍ରାୟ ୬,୦୦୦ କମ୍ପ୍ୟୁଟରରେ ଆଣ୍ଟିଭାଇରସ୍ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।

ସୂଚନାଯୋଗ୍ୟ, ଏହି ଭୟାବହ ତଥ୍ୟ ସାମ୍ନାକୁ ଆସିବା ପରେ ବିଶେଷଜ୍ଞମାନେ ଅନଲାଇନ୍ ଲେଣଦେନ କରିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।