FeaturedGeneralLatest

ଏଲ୍‌ପିଜି ଉତ୍ପାଦନରେ ୧୦% ବୃଦ୍ଧି: ଗ୍ୟାସର ଅଭାବ ନାହିଁ କହିଲେ ସରକାର

ନୂଆଦିଲ୍ଲୀ(ସଂକେତ ଟିଭି): ଦେଶରେ ରୋଷେଇ ଗ୍ୟାସ୍ (ଏଲ୍‌ପିଜି) ଯୋଗାଣକୁ ସୁଗମ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ତୈଳ ବିଶୋଧନ କମ୍ପାନିଗୁଡ଼ିକ ନିଜର ଉତ୍ପାଦନ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ଉପୁଜିଥିବା ସମ୍ଭାବ୍ୟ ନିଅଣ୍ଟିଆ ପରିସ୍ଥିତିକୁ ସଫଳତାର ସହ ଟାଳି ଦିଆଯାଇଛି। ଦେଶରେ ଏଲ୍‌ପିଜି ଅଭାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରି ସରକାର ସ୍ପଷ୍ଟ କରିଛନ୍ତି ଯେ କେବଳ କେତେକ ସାମୟିକ ସମସ୍ୟା ଦେଖାଦେଇଥିଲା, ଯାହାକୁ ତୁରନ୍ତ ସମାଧାନ କରାଯାଇଛି।

ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଅଂଶବିଶେଷ ଭାବରେ ନୂଆ ଏଲ୍‌ପିଜି ସଂଯୋଗ ପାଇଁ ବୁକିଂ ଅବଧିକୁ ୨୧ ଦିନରୁ ବୃଦ୍ଧି କରି ୨୫ ଦିନ କରାଯାଇଛି। ଏଥିସହିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ମଧ୍ୟ ଲାଗୁ କରାଯାଇଛି, ଯାହାଦ୍ୱାରା ଯେକୌଣସି ଅସାମାଜିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇପାରିବ।

ଅଧିକାରୀଙ୍କ କହିବାନୁଯାୟୀ, ଭୂ-ରାଜନୈତିକ ଅସ୍ଥିରତା ଏବଂ ଯୋଗାଣ ଶୃଙ୍ଖଳ ଉପରେ ବଢ଼ୁଥିବା ଚାପ ସତ୍ତ୍ୱେ ଶକ୍ତି ଯୋଗାଣ ପରିଚାଳନାରେ ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ଅଧିକ ସୁଦୃଢ଼ ସ୍ଥିତିରେ ରହିଛି। ଶକ୍ତି ଉପଲବ୍ଧତା ଏବଂ ଇନ୍ଧନ ଆମଦାନୀରେ ନିରନ୍ତରତା ବଜାୟ ରଖିବା ପାଇଁ ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଶକ୍ତି କମ୍ପାନୀଗୁଡ଼ିକ ନିଜର ଆନ୍ତର୍ଜାତିକ ସହଯୋଗୀମାନଙ୍କ ସହିତ ନିିୟମିତ ଯୋଗାଯୋଗରେ ଅଛନ୍ତି। ଫଳରେ ଭାରତ ପାଇଁ ପର୍ଯ୍ୟାପ୍ତ ଶକ୍ତି ଉତ୍ସ ସୁନିଶ୍ଚିତ ହୋଇପାରୁଛି।

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଛ ଖବରକୁ ବିଶ୍ୱାସ ନକରିବା ପାଇଁ ସରକାର ସାଧାରଣ ନାଗରିକଙ୍କୁ ନିବେଦନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ ଏହି ପ୍ରକାରର ମିଛ ସୂଚନା କେବଳ ଅଯଥା ଭୟ ସୃଷ୍ଟି କରିବା ସହ ସାମାଜିକ ଶାନ୍ତି ବ୍ୟାହତ କରିଥାଏ। ଦେଶରେ ଘରୋଇ ଏଲ୍‌ପିଜି ଯୋଗାଣକୁ ସର୍ବାଧିକ ଅଗ୍ରାଧିକାର ଦିଆଯାଉଥିବା ବେଳେ ଚାହିଦା ପରିଚାଳନା ବ୍ୟବସ୍ଥା ସମ୍ପୂର୍ଣ୍ଣ ସକ୍ରିୟ ରହିଛି। କେତେକ ସଂଗଠନଙ୍କ ଦ୍ୱାରା ଉଠାଯାଇଥିବା ଏଲ୍‌ପିଜି ଅଭାବ ନେଇ ଲିଖିତ ଆଶଙ୍କାକୁ ମଧ୍ୟ ଗମ୍ଭୀରତାର ସହ ଅନୁଧ୍ୟାନ କରାଯାଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।