FeaturedLatestNews

ରାଜ୍ୟରେ ୨୨ ହଜାରରୁ ଅଧିକ ବୃଦ୍ଧି ପାଇଲା ଦାଦନ ଶ୍ରମିକଙ୍କ ସଂଖ୍ୟା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରୋଜଗାର ଓ ଜୀବିକା ନିର୍ବାହ ପାଇଁ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବିଗତ ଏକ ଆର୍ଥିକ ବର୍ଷ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ୨୨ ହଜାରରୁ ଅଧିକ ବୃଦ୍ଧି ପାଇଥିବା ବିଧାନସଭାରେ ସୂଚନା ଦିଆଯାଇଛି।

ମଙ୍ଗଳବାର ବିଧାନସଭାରେ ଭୋଗରାଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ୨୦୨୪ ଆର୍ଥିକ ବର୍ଷରେ ରାଜ୍ୟ ବାହାରେ କାର୍ଯ୍ୟରତ ଓଡ଼ିଆ ଦାଦନ ଶ୍ରମିକଙ୍କ ସଂଖ୍ୟା ୭୦,୧୪୨ ଥିଲା। କିନ୍ତୁ ୨୦୨୫ ଆର୍ଥିକ ବର୍ଷ (ଏପ୍ରିଲ ୨୦୨୪ରୁ ମାର୍ଚ୍ଚ ୨୦୨୫) ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୯୪,୧୦୬ରେ ପହଞ୍ଚିଛି। ଅର୍ଥାତ୍ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୨୩,୯୬୪ ଜଣ ନୂଆ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି।

ଏହି ପ୍ରବାସନ ତଥ୍ୟ ଅନୁଯାୟୀ, ଦାଦନ ଶ୍ରମିକ ପଠାଇବାରେ ସବୁଠାରୁ ଆଗରେ ରହିଛି ବଲାଙ୍ଗୀର ଜିଲ୍ଲା। ୨୦୨୪ ଆର୍ଥିକ ବର୍ଷରେ ବଲାଙ୍ଗୀରରୁ ୪୯,୯୯୮ ଜଣ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିଲେ, ଯାହା ୨୦୨୫ରେ ବୃଦ୍ଧି ପାଇ ୬୫,୩୦୯ରେ ପହଞ୍ଚିଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବରଗଡ଼ ଭଳି କୃଷିପ୍ରଧାନ ଜିଲ୍ଲାରେ ମଧ୍ୟ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏହି ତଥ୍ୟ ରାଜ୍ୟରେ ନିଯୁକ୍ତି ସଙ୍କଟ ଏବଂ ଅର୍ଥନୈତିକ ଚିନ୍ତାର ଗମ୍ଭୀର ଚିତ୍ର ଉପସ୍ଥାପନ କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।