ଏଲପିଜି ସଙ୍କଟ ନେଇ ହଟ୍ଟଗୋଳ; ବିରୋଧୀଙ୍କ ବିରୋଧରେ ଦୁଇଥର ମୁଲତବୀ ହେଲା ଗୃହ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ରନ୍ଧନ ଗ୍ୟାସ (LPG) ଅଭାବ ଅଭିଯୋଗକୁ କେନ୍ଦ୍ର କରି ଆଜି ବିଧାନସଭା ଗୃହରେ ତୀବ୍ର ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ମିଳିତ ଭାବେ ରାଜ୍ୟର ଦ୍ଵୈତ ଇଞ୍ଜିନ ସରକାରଙ୍କୁ ଘେରିବା ସହ ତୀବ୍ର ପ୍ରତିବାଦ କରିଛନ୍ତି। ଉଭୟ ଦଳର ବିଧାୟକମାନେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ହୋହଲ୍ଲା ଆରମ୍ଭ କରି ଦେଇଥିଲେ, ଯାହାଫଳରେ ବାଚସ୍ପତି ପ୍ରଥମେ ୧୧.୩୦ ଏବଂ ପରେ ୧୨.୧୦ ପର୍ଯ୍ୟନ୍ତ ଗୃହକୁ ଦୁଇଥର ମୁଲତବୀ ଘୋଷଣା କରିଥିଲେ।
ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ‘ଡବଲ ଇଞ୍ଜିନ ଡବଲ ଧୋକା’ ଲେଖାଥିବା ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପହଞ୍ଚି ସରକାର ବିରୋଧୀ ନାରାବାଜି କରିଥିଲେ। ସେମାନଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେଡି ବିଧାୟକମାନେ ମଧ୍ୟ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ଏହି ଗୃହ ଗୋଳ ଯୋଗୁଁ ଜଳ ସମ୍ପଦ, ରାଜସ୍ୱ ଓ ଖଣି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଯାଇଥିଲା।
ଏହି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, “ରାଜ୍ୟ ସରକାର ମହିଳାମାନଙ୍କ ସହ ପ୍ରତାରଣା କରିଛନ୍ତି। ରାଜ୍ୟରେ ରନ୍ଧନ ଗ୍ୟାସ (LPG) ଅଭାବ ପରିଲକ୍ଷିତ ହେଉଥିବାବେଳେ ତେଲ ଦରରେ ମଧ୍ୟ ବୃଦ୍ଧି ଘଟିଛି। ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଦ୍ବୈତ ଇଞ୍ଜିନ ସରକାର ଦ୍ବୈତ ଧୋକା ଦେଇଛନ୍ତି।”
ଗୃହ ଗୋଳ ମଧ୍ୟରେ ଶୂନ୍ୟକାଳରେ ଶାସକ ଦଳ ବିଧାୟକ ଇରାଶିଷ ଆଚାର୍ଯ୍ୟ ବିରୋଧୀଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “କଂଗ୍ରେସ ବିଧାୟକମାନେ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ବିଜେଡି ସଦସ୍ୟମାନେ ଛିଡ଼ା ହୋଇ କଂଗ୍ରେସର ପ୍ରତିବାଦକୁ ସମର୍ଥନ ଦେଉଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ। ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ଗ୍ୟାସକୁ ନେଇ କୌଣସି ଚିନ୍ତା କରିବାର ନାହିଁ।”
ସୂଚନାଯୋଗ୍ୟ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବ୍ୟବସାୟିକ LPG ଏବଂ ଖାଇବା ତେଲର ଦର ବୃଦ୍ଧି ପାଇଛି, ଯାହା ଫଳରେ ରାଜ୍ୟରେ ଗ୍ୟାସ ସଙ୍କଟ ଦେଖାଦେଇଥିବା ଖାଉଟିମାନେ ଅଭିଯୋଗ କରୁଛନ୍ତି। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗତକାଲି (ବୁଧବାର) ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଆଭାସୀ ବୈଠକ କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।
