ଗ୍ରୀଷ୍ମ ପ୍ରବାହ ସମୟରେ ରାଜ୍ୟରେ ହେବ ନାହିଁ ବିଦ୍ୟୁତ୍ କାଟ୍
ଭୁବନେଶ୍ୱର (ସଂକେତ ଟିଭି): ଏବେ ଚାଲିଛି ମାର୍ଚ୍ଚ ମାସ। ଏପ୍ରିଲ ନ ଆସୁଣୁ ତାପମାତ୍ରା ବଢ଼ିବା ଆରମ୍ଭ କରିଦେଇଛି। ରାଜ୍ୟରେ ଦେଖାଦେଇଛି ଅସହ୍ୟ ଖରାର ପ୍ରକୋପ, ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି।
ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତକୁ ମୁକାବିଲା କରିବା ପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ଶକ୍ତି ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛି ଯେ, ଗ୍ରୀଷ୍ମ ପ୍ରବାହ ସମୟରେ ରାଜ୍ୟର କୌଣସି ଅଞ୍ଚଳରେ ବିଦ୍ୟୁତ୍ କାଟ୍ ହେବ ନାହିଁ।
ରାଜ୍ୟ ସରକାର ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଏକ ସୁଦୃଢ଼ ଯୋଜନା ପ୍ରସ୍ତୁତ କରୁଛନ୍ତି। ୩୧ ଟି ପୌରାଞ୍ଚଳ ପାଇଁ ସ୍ୱତନ୍ତ୍ର ‘ହିଟ୍ ୱେଭ ଆକ୍ସନ ପ୍ଲାନ’ ପ୍ରସ୍ତୁତ କରାଯିବ। ଏଥିମଧ୍ୟରୁ ୧୦ ଟି ପୌରାଞ୍ଚଳର ଯୋଜନା ପ୍ରସ୍ତୁତ ହୋଇ ସାରିଛି। ସେହିପରି, ରାଜ୍ୟର ସମସ୍ତ ୩୦ ଜିଲ୍ଲା ଏବଂ ଭୁବନେଶ୍ୱର-କଟକ ଟ୍ୱିନ ସିଟି ପାଇଁ ମଧ୍ୟ ହିଟୱେଭ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି।
ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ତଥା ଜିଲ୍ଲାସ୍ତରରେ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ୍) ଖୋଲାଯାଇଛି। ଏହା ସହିତ, ଜାତୀୟ ବିପର୍ଯୟ ତାଲିକାରେ ହିଟୱେଭକୁ ସାମିଲ କରିବା ପାଇଁ ୧୬ତମ ଅର୍ଥ କମିସନ ସୁପାରିଶ କରିଛନ୍ତି। ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଏକ ଲିଖିତ ଉତ୍ତରରେ ଏହି ସମସ୍ତ ସୂଚନା ପ୍ରଦାନ କରିଛନ୍ତି।
