ମୁଁ ଶୃଙ୍ଖଳିତ କର୍ମୀ, ଦଳ ଯାହା କହିବ ତାହା କରିବି : ସୁବାସିନୀ ଜେନା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନକୁ ନେଇ ପୁଣି ଥରେ ସସ୍ପେନ୍ସ ବଢ଼ାଇଛନ୍ତି ବିଜେଡି ବିଧାୟିକା ସୁବାସିନୀ ଜେନା। ସସ୍ପେନ୍ଡ୍ ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ପତ୍ନୀ ତଥା ବିଜେଡି ବିଧାୟିକା ସୁବାସିନୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ଜଣେ ଶୃଙ୍ଖଳିତ କର୍ମୀ ଏବଂ ଦଳର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ।
ସୁବାସିନୀ କହିଛନ୍ତି, “ମୁଁ ବିଜେଡିରେ ଅଛି। ନବୀନ ବାବୁ ମୋର ନେତା। ସୁପ୍ରିମୋଙ୍କ ନିର୍ଦ୍ଦେଶ ମୋ ପାଇଁ ଶିରୋଧାର୍ଯ୍ୟ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଜର ଭୋଟ କାହାକୁ ଦେବେ, ତାହା ଏବେ ପ୍ରକାଶ କରିବେ ନାହିଁ। “ମୋ ଭୋଟ୍ କାହାକୁ ଦେବି, ମୁଁ କାହିଁକି ଆପଣଙ୍କୁ ଜଣାଇବି? ମୁଁ ଦଳର ଏଜେଣ୍ଟ। ଭୋଟ୍ ଦେବା ପରେ ଏଜେଣ୍ଟକୁ ଦେଖାଇବି। ସେହି ଦିନ ଆପଣ ସବୁ ଜାଣିପାରିବେ,” ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ସୁବାସିନୀ ଜେନା ନିଜର ଭୋଟ୍ କାହାକୁ ଦେବେ ତାହା ନେଇ ଅନିଶ୍ଚିତତା ସୃଷ୍ଟି କରିଥିଲେ। ସେତେବେଳେ ସେ କହିଥିଲେ ଯେ ସମୟ ହିଁ କହିବ କାହାକୁ ସେ ଭୋଟ୍ ଦେବେ। ତେବେ ଆଜି ସେ ପୁଣି ଥରେ ଦଳ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିଛନ୍ତି।
ଏହି ଅବସରରେ ସେ ଉଲ୍ଲେଖ କରିଛନ୍ତି ଯେ ବରିଷ୍ଠ ବିଜେଡି ନେତା ସନ୍ତୃପ୍ତ ମିଶ୍ର ତାଙ୍କ ସହ ଆଲୋଚନା କରିଛନ୍ତି। ଏହାବ୍ୟତୀତ, ଫୋନ୍ ଯୋଗେ ଦତ୍ତେଶ୍ୱର ହୋତା ମଧ୍ୟ ତାଙ୍କ ସହ କଥା ହୋଇଛନ୍ତି। ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତ ବିଜେଡି ବିଧାୟକଙ୍କୁ ଡାକି ରାଜ୍ୟସଭା ନିର୍ବାଚନ ନେଇ ଆଲୋଚନା କରିଥିଲେ।
