ଭୁବନେଶ୍ୱରରେ ବିଜେପିର ବୈଠକ: ଏସଆଇଆର ଓ ରାଜ୍ୟସଭା ନିର୍ବାଚନ ଉପରେ ଫୋକସ୍
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ।
ପ୍ରଥମ ପର୍ଯ୍ୟାୟରେ ବୈଠକରେ ଏସଆଇଆର (SIR) ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥିରେ ରାଜ୍ୟ ବିଜେପିର ବରିଷ୍ଠ ପଦାଧିକାରୀ, ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଜିଲ୍ଲା ସଭାପତିମାନେ ସାମିଲ ହୋଇଥିଲେ । ସୂଚନାନୁଯାୟୀ, ତିନି ଜଣ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ମୋଟ ୬୮ ଜଣ ବିଧାୟକ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଥିଲେ।
ଏସଆଇଆରକୁ ନେଇ ରାଜ୍ୟ ବିଜେପି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବାକୁ ଯୋଜନା କରୁଛି। ଏହି ରଣନୀତି ଅନୁଯାୟୀ, ଦଳୀୟ ନେତାମାନେ ଗାଁକୁ ଯିବେ ଏବଂ ସବୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀରେ ଏସଆଇଆର ଉପରେ କର୍ମଶାଳା ଆୟୋଜନ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ଏସଆଇଆର କାହିଁକି ଆବଶ୍ୟକ ଏବଂ ଏହା ଦ୍ୱାରା କ’ଣ ଫାଇଦା ମିଳିବ, ସେ ନେଇ ଗ୍ରାଉଣ୍ଡ ଜିରୋ ସ୍ତରରେ ଲୋକଙ୍କୁ ବୁଝାଇବା। ଆଜିର ବୈଠକରେ ଏହି କାର୍ଯ୍ୟକ୍ରମ ଏବଂ ରଣନୀତି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।
ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୯ ମାର୍ଚ୍ଚରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଧାୟକମାନଙ୍କୁ ଭୋଟିଂ ପ୍ରକ୍ରିୟା ବାବଦରେ ତାଲିମ (ଟ୍ରେନିଂ) ପ୍ରଦାନ କରାଯିବ। ତାଲିମ ପରେ ସମସ୍ତ ବିଜେପି ବିଧାୟକଙ୍କୁ ବସ୍ ଯୋଗେ ପାରାଦ୍ୱୀପ ନିଆଯିବ ବୋଲି କାର୍ଯ୍ୟକ୍ରମ ରହିଛି।
