ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘୋଡ଼ା ବେପାର ଅଭିଯୋଗ କଲେ ନବୀନ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୀତି ଗରମ ହୋଇଉଠିଛି। ‘ଘୋଡ଼ା ବେପାର’ ଅଭିଯୋଗକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ତୀବ୍ର ବାକ୍ୟ ଯୁଦ୍ଧ ଚାଲିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ବିଧାନସଭାରେ ମକ୍ ପୋଲିଂ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, “ଆମ ଦଳର ବିଧାୟକମାନଙ୍କ ସହ ରାଜ୍ୟଭା ନିର୍ବାଚନ ପ୍ରକ୍ରିୟା ନେଇ ଆଲୋଚନା ହୋଇଛି। ବିଜେପି ପକ୍ଷରୁ ଘୋଡ଼ା ବେପାର ଜାରି ରହିଛି। ସେମାନଙ୍କ ପ୍ରାର୍ଥୀ ବିଜେଡି ବିଧାୟକମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ଚଲାଇଛନ୍ତି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏକ ଅପରାଧ ସଦୃଶ।”
ନବୀନଙ୍କ ଏହି ଅଭିଯୋଗକୁ ବିଜେପି ପକ୍ଷରୁ ତୀବ୍ର ପ୍ରତ୍ୟାଖ୍ୟାନ କରାଯାଇଛି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନବୀନଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ଅତୀତରେ ନବୀନ ପଟ୍ଟନାୟକ ନିଜେ ମୋତେ ଘୋଡ଼ା ବେପାର ପାଇଁ ଅଫର କରିଥିଲେ। ସେ ତାଙ୍କର ତିନି ଜଣ ବିଧାୟକଙ୍କୁ ମୋ ପାଖକୁ ପଠାଇଥିଲେ, ମାତ୍ର ମୁଁ ସେତେବେଳେ ସେ ଅଫର ପ୍ରତ୍ୟାଖ୍ୟାନ କରିଦେଇଥିଲି। ଘୋଡ଼ା ବେପାର କିଏ କରେ ତାହା ଓଡ଼ିଶାବାସୀ ଜାଣନ୍ତି।”
ସାଂସଦ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି ଯେ, “ନବୀନ ଏବେ ବି ଚାହୁଁଛନ୍ତି କିନ୍ତୁ ତାଙ୍କ ପାଖରେ ଆଉ କ୍ଷମତା ନ ଥିବାରୁ ସେ ପାରୁନାହାନ୍ତି। ସେଥିପାଇଁ ସେ ଏଭଳି ମିଥ୍ୟା ଅଭିଯୋଗ କରୁଛନ୍ତି।” ବିଜେପି କୌଣସି ପ୍ରକାର ଘୋଡ଼ା ବେପାରରେ ସମ୍ପୃକ୍ତ ନଥିବା ସେ ସ୍ପଷ୍ଟ କରିଛନ୍ତି।
